ପୁରୀ, (ବାଘୁଆବାର୍ତ୍ତା): ଶ୍ରୀମନ୍ଦିରରେ ସୋମବାରକୁ ଗଭା ଦିବସ ରୂପେ ପୁଷ୍ପାଳକ ନିଯୋଗ ପାଳନ କରିଛି। ଏହି ଅବସରରେ ନିଯୋଗରେ ମହାପ୍ରସାଦ ସେବନର ମଧ୍ୟ ଆୟୋଜନ କରାଯାଇଥିଲା। ଆଜିକୁ ଠିକ୍ ୨୩ ବର୍ଷ ପୂର୍ବେ ମହାପ୍ରଭୁଙ୍କ ଶ୍ରୀମସ୍ତକରେ ଲାଗି ହୋଇଥିଲା ଗଭା। ସେଦିନ ଥିଲା ୧୯୯୮ ମସିହା ଜୁଲାଇ ୨୬ ତାରିଖ। ଆଜି ପର୍ୟ୍ୟନ୍ତ ନିରବିଛିନ୍ନ ଭାବେ ଜଣେ ମହିଳା ଶ୍ରଦ୍ଧାଳୁ ଠାକୁରଙ୍କୁ ଏହି ପୁଷ୍ପ ଅଳଙ୍କାର ଦେଇ ଆସୁଛନ୍ତି। ପ୍ରତିଦିନ ୨ଟି ଗଭା ଶ୍ରୀମୁଖ ଶୋଭାବର୍ଦ୍ଧନ କରୁଛି। ପାଳିଆ ପୁଷ୍ପାଳକ ଠାକୁରଙ୍କୁ ଏହି ଅଳଙ୍କାର ଲାଗି କରୁଛନ୍ତି। ମହାପ୍ରଭୁ ପୁଷ୍ପ ପ୍ରିୟ। ସୁବାସିତ ପୁଷ୍ପରେ ଠାକୁରଙ୍କ ଆଗ୍ରହ। ଏଣୁ ଶ୍ରୀଅଙ୍ଗରେ ଶୋଭାପାଏ ବହୁ ପ୍ରକାରର ସୁବାସିତ ପୁଷ୍ପ ଅଳଙ୍କାର। ଶ୍ରୀଜଗନ୍ନାଥଙ୍କ ଶ୍ରୀମସ୍ତକରେ ଲାଗି ହୁଏ ସୁଦୃଶ୍ୟ ଗଭା। ଗୋଲାକୃତି ବେଶ୍ ବଡ଼ ଅଳଙ୍କାର। ତୁଳସୀ, ଗୋଲାପ, ଗେଣ୍ଡୁ ଓ ଗୁରୁଦୁଲାଙ୍ଗ ଆଦି ସୁବାସିତ ପୁଷ୍ପକୁ ବାନ୍ଧି ସ୍ୱତନ୍ତ୍ର ଭାବେ ତିଆରି ହୋଇଥାଏ। ଉକ୍ତ ଗଭା ପାଳିଆ ଖୁଣ୍ଟିଆ ସେବକ ଶ୍ରୀଜଗନ୍ନାଥଙ୍କ ବାଡ଼ର ପାଳିଆ ପୁଷ୍ପାଳକ ସେବକଙ୍କୁ ଦେଇଥାନ୍ତି। ପୁଷ୍ପାଳକ ସେବକ ଉକ୍ତ ଗଭା ଠାକୁରଙ୍କ ଶ୍ରୀମସ୍ତକରେ ଲାଗି କରିଥାନ୍ତି । ପ୍ରତିଦିନ ଅବକାଶ ପର ବେଶ ଓ ଧୂପ ମଇଲମରେ ଠାକୁରଙ୍କୁ ଦୁଇଟି ଗଭା ଲାଗି ହୋଇଥାଏ। ଶ୍ରୀମନ୍ଦିର ପୁଷ୍ପାଳକ ନିଯୋଗ କର୍ମକର୍ତ୍ତା କୁହନ୍ତି ବାଲିସାହିର ଜଣେ ମହିଳା ଭକ୍ତ ଦୀର୍ଘ ବର୍ଷ ହେଲା ପ୍ରତିଦିନ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ୨ଟି ଗଭା ଦେଉଛନ୍ତି। ସେ ତାଙ୍କ ନିଜ ନାମ ଗୋପନ ରଖି ଠାକୁରଙ୍କ ସେବା କରୁଛନ୍ତି। ପ୍ରଶାସନ ହେଉ କିମ୍ବା ନିଯୋଗ ଠାରୁ କୌଣସି ସେବା କିମ୍ବା ଅର୍ଥ ସେ ଗ୍ରହଣ କରନ୍ତି ନାହିଁ। ମହିଳା ଭକ୍ତଙ୍କ ଠାକୁରଙ୍କ ପ୍ରତି ଉତ୍ସର୍ଗୀକୃତ ମନୋଭାବକୁ ପୁଷ୍ପାଳକ ନିଯୋଗ ପକ୍ଷରୁ ଉଚ୍ଚ ପ୍ରଶଂସା କରାଯାଇଛି।





