ନୂଆଦିଲ୍ଲୀ,(ବାଘୁଆବାର୍ତ୍ତା): ପୂର୍ବ ଲଦାଖର ବିବାଦୀୟ କ୍ଷେତ୍ର ଡେମଚୋକରେ ଚୀନର ଟେଣ୍ଟ୍ । ଏପରି ଖବର ଏବେ ଜାତୀୟ ଗଣମାଧ୍ୟମରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ଡେମଚୋକ୍ କ୍ଷେତ୍ରର ଭାରତୀୟ ପଟେ ଚୀନର କିଛି ନାଗରିକ ତମ୍ବୁ ଟାଣି ରହୁଛନ୍ତି । ଭାରତୀୟ ସେନା ପକ୍ଷରୁ ସେମାନଙ୍କୁ ନିଜ କ୍ଷେତ୍ରକୁ ଫେରିଯିବା ପାଇଁ କୁହାଯାଇଥିଲେ ମଧ୍ୟ ସେମାନେ ସେଠାରୁ ହଟି ନଥିବା ବରିଷ୍ଠ ସେନା ଅଧିକାରୀଙ୍କଠାରୁ ସୂଚନା ମିଳିଛି । ଇଣ୍ଡିଆନ୍ ଏକ୍ସପ୍ରେସର ଏକ ରିପୋର୍ଟ ଅନୁସାରେ ଡେମଚୋକ୍ର ଚାଣ୍ଟି ନାଲା ନିକଟରେ ତମ୍ବୁଟାଣୀ ରହୁଥିବା ଲୋକ ନିଜକୁ ଚୀନର ନାଗରିକ ବୋଲି ପରିଚୟ ଦେଇଛନ୍ତି । ପ୍ରକୃତ ନିୟନ୍ତ୍ରଣ ରେଖାର ବିବାଦୀୟ ଡେମଚୋକ୍ କ୍ଷେତ୍ରରେ ପୂର୍ବରୁ ଦୁଇ ଦେଶର ସେନା ମୁହାଁମୁହିଁ ହୋଇ ସାରିଛନ୍ତି । ସୀମା ବିବାଦକୁ ନେଇ ସୋମବାର ଭାରତ ଓ ଚୀନ ମଧ୍ୟରେ ୧୨ତମ କମାଣ୍ଡର ସ୍ତରୀୟ ବୈଠକ ହେବାର ଥିଲା । ମାତ୍ର ୨୬ ଜୁଲାଇ କାରଗିଲ ବିଜୟ ଦିବସ ଭାବେ ଭାରତୀୟ ସେନାର ଏକ ଖାସ ଦିନ ଥିବାରୁ ଏହି ବୈଠକକୁ କିଛି ଦିନ ପାଇଁ ଘୁଞ୍ଚାଇ ଦିଆଯାଇଛି । ଯାହା ଅଗଷ୍ଟ ପ୍ରଥମ ସପ୍ତାହରେ ହୋଇପାରେ ବୋଲି ସୂଚନା ମିଳିଛି ।






