ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ ଥିବା ୧୫୭ ଗୋଟି ପ୍ରାଥମିକ ସେବା ସମବାୟ ସମିତିରେ କାର୍ଯ୍ୟରତ ୧୦୦ ରୁ ଉଦ୍ଧ୍ୱର୍ ଡାଟା ଏଣ୍ଟ୍ରି ଅପରେଟର ଭାଗ୍ୟ ଓ ଭବିଷ୍ୟତ ଅନ୍ଧକାର ମଧ୍ୟରେ ଗତି କରୁଛି । ୫ ବର୍ଷରୁ ଉଦ୍ଧ୍ୱର୍ ସମୟଧରି ସମିତିର ପରିଚାଳନା ପରିଷଦମାନଙ୍କ ଦ୍ୱାରା ଚୁକ୍ତି ଭିତ୍ତିକ ନିଯୁକ୍ତି ପାଇଥିବା ଏହି କର୍ମଚାରୀମାନେ କେବେ ନିୟମିତ ହେବେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ପ୍ୟାକ୍ସ କମ୍ପ୍ୟୁଟରୀ କରଣ, ଧାନ ପଞ୍ଜିକରଣ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ଧାନ କ୍ରୟ, ସାର କାରବାର ତଥା ଋଣ କାରବାର ଆଦି ସମସ୍ତ ପ୍ରକାରର କାର୍ଯ୍ୟ କରୁଥିଲେ ମଧ୍ୟ ସେମାନଙ୍କ ଭବିଷ୍ୟତ ଅନ୍ଧକାରମୟ ବୋଲି ଅଭିଯୋଗ ହୋଇଛି । ଏନେଇ ସଂଘ ଆବାହକ ତଥା ବିଜୁ ଶ୍ରମିକ ସାମ୍ମୁଖ୍ୟ ରାଜ୍ୟ ସହ ସମ୍ପାଦକ ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ ଓ ଉପଦେଷ୍ଟା ଲକ୍ଷ୍ମଣ ମଲ୍ଲ ନୟାଗଡ଼ ଜିଲ୍ଲା ପ୍ୟାକ୍ସ ଡାଟା ଏଣ୍ଟ୍ରି ଅପରେଟର ସଙ୍ଘର ସଭାପତି ଶ୍ରୀ ବାମନ ଚନ୍ଦ୍ର ରାଜ, ସମ୍ପାଦକ ଶ୍ରୀ ସୁବ୍ରତ କୁମାର ପ୍ରଧାନ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ଦାବିପତ୍ର ପ୍ରଦାନ କରିଥିବା ଜଣାଯାଇଛି ।






