ଲୁଚାଛପାରେ ଶବ ସତ୍କାର
ଓଡ଼ଗାଁ,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ଘଷାଦେଇପୁର ମୈାଜା ରାବେରା ଗ୍ରାମ ଗୋଡ଼ିସାହିରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ପୁଅ ମାଆକୁ ପିଟିପିଟି ହତ୍ୟା କରିବା ପରେ ଘର ଛାତରେ ଝୁଲାଇ ଦେଇଛି । ଗ୍ରାମର ପଦ୍ମନାଭ ସାମଲଙ୍କ ବୁଢ଼ି ମାଆ ହେମଲତା ସାମଲ(୭୪) ଗୋଡ଼ ଭାଙ୍ଗିବା ପରଠାରୁ ଅନ୍ୟ ଉପରେ ନିର୍ଭରଶୀଳ ଥିଲେ । ଗତବର୍ଷ ଖସି ପଡ଼ି ତାଙ୍କର ଦୁଇ ଗୋଡ଼ ଭାଙ୍ଗି ଯାଇଥିଲା । ଆଜି ସକାଳୁ ପୁଅ ପଦ୍ମନାଭ ମାଆକୁ ବାରିପଟେ ନିନ୍ଧୁର୍ମ ମାଡ଼ ମାରିଥିଲେ । ମାଡ଼ ଖାଇ ବୁଢ଼ୀ ମାଆ ବହୁତ ଜୋରରେ ଚିଲେଇବା ସହ ଚିତ୍କାର କରିଥିଲେ । ଶେଷରେ ପୁଅ ମାଡ଼ରେ ବୁଢ଼ୀ ମାଆର ମୃତ୍ୟୁ ହୋଇଥିବା ବେଳେ ବୁଢ଼ୀର ଆଉ ଚିତ୍କାର କି ପାଟି ଶୁଣା ଯାଇନଥିଲା । ମାଆ ମରିଯିବା ପରେ ତାଙ୍କୁ ଘୋଷାରି ନେଇ ଘର ଛାତ ଉପରୁ ଏକ ଲୁଗାରେ ତଳକୁ ଝୁଲାଇ, ତାଲା ପକାଇ ପୁଅ କେଉଁ ଆଡ଼େ ଚାଲି ଯାଇଥିଲେ । ବାହାର ଲୋକଙ୍କଠାରୁ ଖବରପାଇ ଘରକୁ ଫେରି ଜାଣି ଅଜଣାର ଅଭିନୟ କରିଥିଲେ । ଶବ ଉଦ୍ଧାର କର ଗ୍ରାମବାସୀ ଏବଂ ନିକଟ ସମ୍ପର୍କୀୟଙ୍କୁ ନେଇ ତରବରିଆ ଭାବେ ଶବସତ୍କାର କରି ଦେଇଥିବା ଜଣାଯାଇଛି । ଝୁଲନ୍ତା ଅବସ୍ଥାରେ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।






