କେସିଙ୍ଗା, (ବାଘୁଆବାର୍ତ୍ତା): ବରଗଡ଼-ବୋରିଗୁମ୍ମାକୁ କଳାହାଣ୍ଡି ଜିଲ୍ଲା ଦେଇ ସଂଯୋଗ କରୁଥିବା ୨୬ ନମ୍ବର ଜାତୀୟ ରାଜପଥ ଦେଇ ଯେଉଁ ଭଳି ଭାବରେ ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ ହେଉଛି ଓ କେସିଙ୍ଗା ଆଦର୍ଶ ଥାନା ପୋଲିସ ହାତରେ ଧରାପଡ଼ିବା ବିଷୟକୁ ନେଇ ଅନୁଧ୍ୟାନ କଲେ ବୁଝାପଡୁଛି ଯେ ଏନ୍ ଏଚ ୨୬ ଚୋରା ଚାଲାଣ ଗଞ୍ଜେଇ ର କରିଡ଼ର ପାଲଟିଛି । ଗତ ଜୁନ ମାସ ୨୭ ତାରିଖ ରୁ ଆଜି ପର୍ୟ୍ୟନ୍ତ କେସିଙ୍ଗା ଆଦର୍ଶ ଥାନା ପୋଲିସ ଯେଉଁ ଭଳି ଭାବରେ ଲଗାତାର ଚୋରା ଚାଲାଣ ଗଞ୍ଜେଇ କୁ ଧରିବାରେ ସଫଳ ହେଉଛି ତାହାକୁ ନେଇ କଳାହାଣ୍ଡି ଜିଲ୍ଲା ରେ କେସିଙ୍ଗା ପୋଲିସ କୁ ପ୍ରଶଂସା ଯେତିକି ମିଳୁଛି ତାଠାରୁ ଏହି ବିଷୟ କୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ମଧ୍ୟ ହେଉଛି । ଗତ ୧୭ ତାରିଖ ଦିନ କେସିଙ୍ଗା ପୋଲିସ ଏକ ବୋଲେରୋ ଗାଡ଼ି ରୁ ୧୬୬ କୁଇଣ୍ଟାଲ ରୁ ଅଧିକ ଗଞ୍ଜେଇ ଜବତ କରି ଜଣେ ଯୁବତୀ ଓ ୨ ଜଣ ଯୁବକ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଆଜି ପୁଣି ଅନ୍ୟ ଏକ ଗାଡ଼ି ରୁ ୪୮ କେଜି ରୁ ଅଧିକ ଓଜନର ଗଞ୍ଜେଇ ଜବତ କରିବାରେ କେସିଙ୍ଗା ପୋଲିସ ସଫଳ ହୋଇଛି । ଆଇଆଇସି ସତ୍ୟ କୁମାର ନନ୍ଦ ଙ୍କ ନିଦ୍ଦେର୍ଶ କ୍ରମେ ପୋଲିସ କର୍ମଚାରୀ ମାନେ ଆଜି ଗାଡ଼ି ଯାଞ୍ଚ କରୁଥିବା ସମୟରେ ଏନ୍ ଏଚ ୨୬ ସ୍ଥିତ କୁର୍ଲୁପଡା ଛକ ଠାରେ ଏକ କାର କୁ ସନ୍ଦେହ କରି ଅଟକାଯାଇଥିଲା ଓ ଗାଡ଼ି ଭିତରେ ଚୋରା ଚାଲାଣ ଗଞ୍ଜେଇ ଥିବା ନେଇ ପୋଲିସ ଜାଣିବାକୁ ପାଇଥିଲା । ମାଜିଷ୍ଟ୍ରେଟ ଭାବରେ କେସିଙ୍ଗା ଅତିରିକ୍ତ ତହସିଲଦାର ରୂଦ୍ରମଣୀ ନାଏକ ଓ ପଞ୍ଚାୟତ କାର୍ୟ୍ୟନିର୍ବାହୀ ଅଧିକାରୀ ଆକାଶ ସାହୁ ଏବଂ ଜିଆରଏସ ଉପେନ୍ଦ୍ର ଗଉଡ ଙ୍କ ଉପସ୍ଥିତିରେ କାର ଭିତରୁ ୪୮ କେଜି ୨୧୪ ଗ୍ରାମ ଗଞ୍ଜେଇ ସହ କାର ଟିକୁ ଜବତ କରାଯାଇଥିବା ନେଇ ଜଣାପଡ଼ିଛି । ଏଥିରେ ୨ ଜଣଙ୍କୁ ମଧ୍ୟ ପୋଲିସ ଅଟକ ରଖି ପଚରାଉଚରା କରୁଥିବା ବେଳେ ନବରଙ୍ଗପୁର ଅଞ୍ଚଳ ରୁ ଉତ୍ତର ପ୍ରଦେଶ ରାଜ୍ୟ କୁ ଚାଲାଣ ହେଉଥିବା ନେଇ ପୋଲିସ ଜାଣିବାକୁ ପାଇଛି । ଜବତ ଗାଡ଼ି ଟି ଡିଏଲ ୩ସି ଏକେ ୫୨୧୫ ନମ୍ବର ବିଶିଷ୍ଟ ଏକ ହୋଣ୍ଡା କମ୍ପାନୀ ର କାର ବୋଲି ଜଣାପଡ଼ିଥିଲା ବେଳେ ଗଞ୍ଜେଇ ଚୋରା ଚାଲାଣ ବେଳେ ଗାଡ଼ିର ଆଗ ଓ ପଛପଟେ ଓଆର ୧୦ ସି ୯୪୩୫ ନମ୍ବର ଲେଖା ଯାଇ ନମ୍ବର ପ୍ଲେଟ ଉପରେ ଲଗାଯାଇଥିଲା ।






