କାମାକ୍ଷାନଗର, (ବାଘୁଆବାର୍ତ୍ତା): ପୁଣି ଦାଦନ ଦୁଃଖ। ଘରର ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ପରିବାର ଏବେ ଦୁଃଖରେ ଭାଙ୍ଗିପଡିଛନ୍ତି। ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା କଣ୍ଟାପାଳ ପଞ୍ଚାୟତ ଅଢାପଲ୍ଲି ଗ୍ରାମର ୧୦ ଜଣ ଦାଦନ ଖଟିବାକୁ ଫେବ୍ରୁଆରୀ ମାସରେ ତେଲେଙ୍ଗାନା ଯାଇଥିଲେ। ସେଠାରେ ଏକ କ୍ରସରରେ ସମସ୍ତେ ଶ୍ରମିକ ଭାବେ କାମ କରୁଥିଲେ। ସେଠାରେ ରହି କାର୍ୟ୍ୟ କରୁଥିବା ବେଳେ ଗତ ୨୧ ତାରିଖରେ ରୁଷି ମହାନ୍ତଙ୍କ ପୁଅ ବରୁଣ ମହାନ୍ତର ମୃତଦେହ କ୍ରସର ପରିସରରେ ଥିବା ପାଣି ଭିତରୁ ମିଳିଥିଲା। ଏବେ ପୁଅର ମୃତ୍ୟୁ ଖବର ଶୁଣିବା ପରେ ପରିବାରରେ ଦୁଃଖର କଳା ବାଦଲ ଛାଇଯାଇଛି । ବୁଧବାର ସନ୍ଧ୍ୟାରେ ବରୁଣ ଓ ତାଙ୍କ ସାଙ୍ଗ ମାନଙ୍କ ମଧ୍ୟରେ କୌଣସୀ କାରଣକୁ ନେଇ ବଚସା ହୋଇଥିଲା । ଏହାପରେ ସେ ରୁମ୍ ରୁ ବାହାରି ପଳେଇ ଆସିଥିଲେ। ଏହା ପରେ ବରୁଣ ନିଜେ ଅନ୍ୟ ଜଣେ ସହଯୋଗୀଙ୍କୁ ଫୋନ ମାଧ୍ୟମରେ ବଚସା ବିଷୟର ଜଣାଇଥିଲେ। ଏହା ପରେ ଦୀର୍ଘ ସମୟ ଧରି ବରୁଣ ରହୁଥିବା ରୁମକୁ ନଫେରିବାରୁ ସମସ୍ତେ ବରୁଣଙ୍କୁ ବହୁ ଖୋଜାଖୋଜି କରିଥିଲେ । ତେବେ କ୍ରସର ଭିତରେ ଥିବା ଗାଡିଆର ପାଣି ଭିତରୁ ବରୁଣଙ୍କୁ ଉଦ୍ଧାର କରି ତେଲେଙ୍ଗାନାର ଏକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘଷଣା କରି ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଥିଲେ। କ୍ରସର ମାଲିକ ମେଡିକାଲରେ ପହଞ୍ଚି ପୋଷ୍ଟମର୍ଟମ ପରେ ଏକ ଆମ୍ବୁଲାନ୍ସ ଯୋଗେ ବରୁଣଙ୍କ ମୃତଦେହ ସାଥି ପିଲାଙ୍କ ସହ ଗାଁକୁ ପଠାଇଦେଇଥିଲେ। ଶୁକ୍ରବାର ଅପରାହ୍ନରେ ମୃତଦେହ ଗ୍ରାମରେ ପହଞ୍ଚିବା ପରେ ପରିବାର ତରଫରୁ ଏକାଠି ରହୁଥିବା ସାଙ୍ଗମାନେ ହତ୍ୟା କରା ଗାଡିଆରେ ଫିଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି। ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ।





