ବାରିପଦା,(ବାଘୁଆବାର୍ତ୍ତା): ତହସିଲ୍ ପ୍ରଶାସନର କାର୍ଯ୍ୟରେ ଅତିଷ୍ଠ ହେଲେଣି ସ୍ଥାନୀୟ ଜନସାଧାରଣ । ବାରମ୍ବାର ତହସିଲଦାରଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ତହସିଲଦାର କର୍ଣ୍ଣପାତ ନକରିବା ତାଙ୍କ କାର୍ଯ୍ୟଦକ୍ଷତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ ହୋଇଥିଲା । ଯାହାକୁ ନେଇ ଉକ୍ତ ତହସିଲ୍ ଅଞ୍ଚଳରେ ଆନ୍ଦୋଳନ ଦାନା ବାନ୍ଧୁଛି ଥିବା ଜଣାପଡିଛି । ଏଭଳି ଘଟଣା ଘଟିବାକୁ ଯାଉଛି ମୟୁରଭଞ୍ଜ ଜିଲ୍ଲା ରରୁଆଁ ତହସିଲ କାର୍ଯ୍ୟାଳୟରେ । ସୂଚନାନୁସାରେ, ରରୁଆଁ ତହସିଲଦାର ସାଇସ୍ମିତା ଉପାଧ୍ୟାୟ ନିଜ ସରକାରୀ ବାସଭବନରେ ନରହି ଏଠାରୁ ୪୦କି.ମି ଦୂରରେ ଥିବା କେନ୍ଦୁଝର ଜିଲ୍ଲାର ପାଟଣା ଅଞ୍ଚଳରେ ରହି ଆସୁଛନ୍ତି । ଏବଂ ଦିନ ୧୨ଟା ବେଳେ କାର୍ଯ୍ୟାଳୟକୁ ଆସିବା ସହ ଅପରାହ୍ନ ୩ଟା ବେଳକୁ ପୁଣି ଫେରିଯାଇଥାନ୍ତି । ଏହି ତିନି ଘଣ୍ଟା ଭିତରେ ସେ ଯେତିକି କାର୍ୟ୍ୟ କରନ୍ତି ନହେଲେ ସବୁ ସେମିତି ଟେବୁଲରେ ପଡିଥାଏ ଓ କାଲିକି ଦେଖିବା କହି କଥା ବାଁରେଇ ଦେଇଥାନ୍ତି ବୋଲି ଜଣେ କର୍ମଚାରୀ ତାଙ୍କ ନାମ ଗୋପନ ରଖି କହିଛନ୍ତି । ଏବେ ଜନସାଧାରଣଙ୍କ କଥା ନ କହିବା ଭଲ, ସେ ବିଭିନ୍ନ ଆଳ ଦେଖାଇ ଲୋକଙ୍କ ଜରୁରୀ ହେଉଥିବା ଜାତିଗତ ପ୍ରମାଣପତ୍ର, ସ୍ଥାୟୀବାସିନ୍ଦା ପ୍ରମାଣପତ୍ର, ଉତ୍ତରାଧିକାରୀ ପ୍ରମାଣପତ୍ର ଓ ଜମିଜମା ସଂକ୍ରାନ୍ତୀୟ କାଗଜପତ୍ରକୁ ଅଟକାଇ ରଖିଥାନ୍ତି, ଯାହା ଫଳରେ ଲୋକେ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହେବାର ଦୃଷ୍ଟିଗୋଚର ହୋଇଛି । ସେପଟେ ଲୋକେ ତାଙ୍କୁ କାର୍ୟ୍ୟାଳୟରେ ସାକ୍ଷାତ କରି କାରଣ ପଚାରିଲେ ସେ ଲୋକଙ୍କୁ ପୋକମାଛି ପରି ବ୍ୟବହାର କରିଥାନ୍ତି ବୋଲି ରରୁଆଁର କିଛି ସଚେତନ ନାଗରିକ ପ୍ରକାଶ କରିଛନ୍ତି । ତେଣୁ ଜଣେ ସରକାରୀ ବେତନ ପ୍ରାପ୍ତ ଅଧିକାରୀଙ୍କ ଏହିପରି ବ୍ୟବହାରରେ ରରୁଆଁ ଜନସାଧାରଣ ଅତିଷ୍ଠ ହୋଇ ଯାଇଥିବାରୁ ଆଗାମୀ ଦିନରେ ତହସିଲଦାରଙ୍କ ବଦଳି ଦାବିରେ ଧାରଣା ଦେଇପାରନ୍ତି ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ତେବେ ଏ ସମ୍ପର୍କରେ ତହସିଲଦାରଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।






