ପୁରୀ, (ବାଘୁଆବାର୍ତ୍ତା): ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥି ବୁଧବାର ରଥାରୂଢ଼ ଶ୍ରୀବିଗ୍ରହଙ୍କ ବଡ଼ତଢାଉ ବେଶ ତଥା ସୁନା ବେଶ । ଅପରାହ୍ଣ ୩ଟା ସୁଦ୍ଧା ସରିବ ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ । ପରେ ମଇଲମ ଓ ମେକାପ ସର୍ବାଙ୍ଗ ହୋଇ ବେଶ ଆରମ୍ଭ ହେବ । ଅପରାହ୍ଣ ୪ଟାରେ ଠାକୁରଙ୍କ ଏହି ଦୁର୍ଲ୍ଲଭ ବେଶ ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ଧାର୍ୟ୍ୟ ହୋଇଛି । ଦାରୁଦିଅଁଙ୍କ ସକଳ ଐଶ୍ୱର୍ୟ୍ୟ ପ୍ରାବଲ୍ୟ ଦେଖି ଦର୍ଶନାର୍ଥୀ ବିଭୋର ହେବେ । ରାତି ୧୨ଟା ସୁଦ୍ଧା ବେଶ ମଇଲମ ହେବ । ରଥ ଉପର ସୁନାବେଶରେ ଠାକୁରେ ଶ୍ରୀଭୁଜ, ଶ୍ରୀପୟର, ରତ୍ନପଦକ, ରତ୍ନକିରୀଟ, କାନଫୁଲ, ମର୍କତ ମୁକୁଟ, ପଦ ବଲ୍ଲବ, ମୁଦି, କଣ୍ଠିମାଳା, ମର୍କତ ଜାଉଁଳି, ବଳା, ବାହୁଟି, କାନ୍ତି ଜରକବର କଟି ମେଖଳା ଆଦି ୧୩୮ ପ୍ରକାର ରତ୍ନଖଚିତ ସ୍ୱର୍ଣ୍ଣ ଅଳଙ୍କାର ଲାଗି ହେବେ । ଶ୍ରୀମନ୍ଦିର ରତ୍ନସିଂହାସନରେ ଠାକୁରଙ୍କ କାର୍ତ୍ତିକ ପୂର୍ଣ୍ଣିମା, କୁମାର ପୂର୍ଣ୍ଣିମା, ଦୋଳ ପୂର୍ଣ୍ଣିମା ଓ ଦଶହରା (ବିଜୟ ଦଶମୀ)ରେ ସୁନାବେଶ ହୋଇଥାଏ । ଏହାକୁ ସମସ୍ତେ ଦେଖି ପାରୁ ନଥିବା ବେଳେ ରଥ ଉପରେ ଠାକୁରଙ୍କ ସୁନାବେଶ ଦେଖି ବିଶ୍ୱବାସୀ ଅସରନ୍ତି ଆନନ୍ଦ ଲଭନ୍ତି । ଚଳିତ ବର୍ଷ କରୋନା ସଙ୍କଟ ଯୋଗୁ ଭକ୍ତମାନେ ଟେଲିଭିଜନ ମାଧ୍ୟମରେ ହିଁ ଠାକୁରଙ୍କ ସୁନାବେଶ ଦର୍ଶନ କରିବେ ।





