ଭୁବନେଶ୍ୱର (ବାଘୁଆବାର୍ତ୍ତା): ଆଜି ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ପକ୍ଷରୁ ଭୁବନେଶ୍ୱର କିପରି ସବୁଜ ସୁନ୍ଦର ହେବ ଏହା ଉପରେ ପଦକ୍ଷେପ ନିଆଯାଇଛି । ପ୍ରତ୍ୟେକ ସରକାରୀ ବାସଭବନରେ ବିଭିନ୍ନ ଗଛ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ରାଜ୍ୟ ସରକାରଙ୍କ କୃଷି ଓ କୃଷକ ଶସକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ଏହାକୁ ଉଦଘାଟନ କରିଛନ୍ତି । ଏକହଜାର ଗୋଟି ସରକାରୀ ବାସଭବନରେ ୨ଟି ଆମ୍ବ, ୨ଟି ପଣସ ଓ ୨ଟି ବେଲ ଚାରା ସହ ପନିପରିବା ପୁଡିଆ ଓ ଖତସାର ଇତ୍ୟାଦି ବଣ୍ଟନ କରିବାର କାର୍ଯ୍ୟକ୍ରମ ଗ୍ରହଣ କରାଯାଇଅଛି । ଆଜି ଗଙ୍ଗନଗର ସ୍ଥିତ ‘ଘ’ ବର୍ଗର କର୍ମଚାରୀମାନଙ୍କର ବାସଭବନରୁ ଶୁଭାରମ୍ଭ କରାଯାଉଅଛି । ପର୍ଯ୍ୟାୟ କ୍ରମେ ଭୁବନେଶ୍ୱରର ଅନ୍ୟାନ୍ୟ ଅଞ୍ଚଳସ୍ଥିତ ସରକାରୀ ବାସଭବନରେ ଚାରା ବଣ୍ଟନ ବ୍ୟବସ୍ଥା କରାଯିବ । ଆଗାମୀ ବର୍ଷମାନଙ୍କରେ ମଧ୍ୟ ଏହି କାର୍ଯ୍ୟକ୍ରମ ଚାଲୁ ରହିବ । ଏହାର ଉଦ୍ଦେଶ୍ୟ ହେଉଛି, ଭୁବନେଶ୍ୱରକୁ ସବୁଜ ସୁନ୍ଦର କରିବାସହ ତଟକା ଫଳ, ପନିପରିବା ଇତ୍ୟାଦି ନିଜ ବାରିରୁ ପାଇ ସୁସ୍ଥ ଜୀବନ ଯାପନ କରିବା ।






