ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଇଣ୍ଟର୍ନେଟରେ ଏକ ଭିଡିଓ ଏବେ ମନୋରଞ୍ଜନର ଭଲ ଖୋରାକ ଦେଉଛି । ଇନ୍ଷ୍ଟାଗ୍ରାମ୍ରେ ଶେୟାର ହୋଇଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି, ୨ ଜଣ ପୁଲିସ ମୋଟରସାଇକେଲରେ ଯାଉଛନ୍ତି । ଆଉ ଜଣେ ବାଇକ୍ ଚାଳକ ସେମାନଙ୍କର ଅତି ପାଖରେ ବାଇକ୍ ଚଳାଉଛନ୍ତି । ବାଇକ୍ରେ ଥିବା ଦୁଇ ପୁଲିସଙ୍କ ମଧ୍ୟରୁ ପଛରେ ବସିଥିବା ଜଣେ ପୁଲିସ ପାଖ ବାଇକ୍ ଚାଳକଙ୍କ ହାତ ଧରିଛନ୍ତି । ଉଭୟ ପକ୍ଷ ଧୀରେ ଧୀରେ ବାଇକ୍ ଚଳାଉଥିବା ନଜର ଆସୁଛନ୍ତି । ‘ଇଡିଅଟିକ୍ ସ୍ପର୍ମ’ ନାମକ ଏକ ପେଜ୍ରେ ଏହି ଭିଡିଓ ପୋଷ୍ଟ କରାଯାଇଛି । ଘଟଣାଟି ଉତ୍ତରପ୍ରଦେଶର ଘଟିଛି । ବାଇଗଣି ରଙ୍ଗର ଶାର୍ଟ ପିନ୍ଧିଥିବା ବାଇକ୍ ଚାଳକ ଜଣକ ବାସ୍ତବରେ ଜଣେ ଅପରାଧୀ । ଦୁଇ ପୁଲିସକର୍ମୀ ତାଙ୍କୁ ଧରି ଥାନାକୁ ନେଉଛନ୍ତି । ପୁଲିସକୁ ଚକ୍ମା ଦେଇ ଅପରାଧୀ କାଳେ ପଳାୟନ କରିବ, ସେଥିପାଇଁ ସେମାନେ ଏହି ତରିକା ଆପଣେଇଛନ୍ତି । ସେତିକି ନୁହେଁ, ଭିଡିଓ ଶେୟାର କରି ୟୁଜର୍ ଜଣକ ଉଲ୍ଲେଖ କରିଛନ୍ତି ‘ସୋଲ୍ମେଟ୍ସ’ ଅର୍ଥାତ ଆତ୍ମାର ସାଥୀ । ଆଉ ଏକ କ୍ୟାପ୍ସନ ଦିଆଯାଇଛି ‘ହେଲ୍ପିଙ୍ଗ ହ୍ୟାଣ୍ଡ ଅଫ୍ ୟୁପି ପୁଲିସ’ । ଭିଡିଓଟି ପୋଷ୍ଟ ହେବାର ମାତ୍ର ଦିନକ ମଧ୍ୟରେ ୪ ଲକ୍ଷରୁ ଅଧିକ ୟୁଜର ଦେଖିସାରିଲେଣି । ଅପରାଧୀ ଧରିବାର ପୁଲିସର ଏହି ନିଆରା ତରିକା ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି । ଏ ନେଇ ଅସଂଖ୍ୟ ପ୍ରତିକ୍ରିୟା ଦେଖିବାକୁ ମିଳୁଛି । ‘ଆଇନର ହାତ କେତେ ଲମ୍ବା, ଆଜି ଜଣାପଡ଼ିଗଲା’ ବୋଲି ଜଣେ ଉଲ୍ଲେଖ କରିଛନ୍ତି ।





