ବ୍ରହ୍ମପୁର, (ବାଘୁଆବାର୍ତ୍ତା): ଗଂଜାମ ଜିଲ୍ଲା ପୁରୁଷୋତ୍ତମପୁର ସହର ଉପକଣ୍ଠରେ ଥିବା ଏକ ହୋଟେଲ୍ରେ ପଶି କର୍ମଚାରୀଙ୍କୁ ମାଡ଼ ମାରିବା ଓ କ୍ୟାସ୍ କାଉଣ୍ଟରରୁ ଟଙ୍କା ଲୁଟି ନେବା ଘଟଣାରେ ପୁଲିସ୍ ୩ ଜଣଙ୍କୁ ଗିରଫ କରିଛି। ଏହା ସହିତ ସେମାନଙ୍କ ଠାରୁ ଗୁଜରାଟର ନମ୍ବର ଥିବା ଏକ କାର, ଗୋଟିଏ ମାଉଜର, ୩ଟି ଗୁଳି, ଗୋଟିଏ କଟୁରୀ ଏବଂ ଟଙ୍କା ଜବତ କରାଯାଇଛି। ଗିରଫ ତିନି ଅଭିଯୁକ୍ତ ହେଉଛନ୍ତି, କବିସୂର୍ୟ୍ୟନଗର ମେଡିକାଲ ସାହିର ରଞ୍ଜନ ବିଷୋୟୀ (୩୨), କବିସୂର୍ୟ୍ୟନଗର ଥାନା ଆଠଗଡ଼ପାଟଣାର ବିଶ୍ୱଜିତ୍ ପାଇକରାୟ (୩୨) ଓ ନନ୍ଦିଆଗଡ଼ ଗାଁର ମୁକେଶ ସାହୁ (୩୨)। ଏହି ଅଭିଯୁକ୍ତମାନେ କାର୍ରେ ଆସି ହୋଟେଲ୍ରେ ପହଞ୍ଚିଥିଲେ। ସେମାନେ ହୋଟେଲ୍ରେ ମଦ ମାଗିଥିଲେ। କିନ୍ତୁ ମଦ ନାହିଁ ବୋଲି କହିବାରୁ ଜଣେ ହୋଟେଲ କର୍ମଚାରୀଙ୍କୁ ସେମାନେ ନିସ୍ତୁକ ମାଡ଼ ପିଟିଥିଲେ। ତାଙ୍କ ଚିତ୍କାର ଶୁଣି ହୋଟେଲ୍ର ଆଉ ତିନି ଜଣ କର୍ମଚାରୀ ସେଠାରେ ପହଞ୍ଚିଥିଲେ। ଅଭିଯୁକ୍ତମାନେ ସେମାନଙ୍କୁ ବି ଆକ୍ରମଣ କରିଥିଲେ। ସେମାନେ ବିୟର ବୋତଲରେ ହୋଟେଲ କର୍ମଚାରୀମାନଙ୍କୁ ଆକ୍ରମଣ କରିଥିଲେ। ଏହା ପରେ ମାଉଜର ଦେଖାଇ କ୍ୟାସ୍ କାଉଣ୍ଟରରୁ ୪୫ ହଜାର ଟଙ୍କା ଧରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଥିଲା। ଖବର ପାଇ ପୁଲିସ୍ ହୋଟେଲ୍ରେ ପହଞ୍ଚି ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲା। ତା’ପରେ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଚଢ଼ାଉ କରିଥିଲା। ଆଜି ଭୋରରେ ଅଭିଯୁକ୍ତମାନଙ୍କୁ ସେମାନଙ୍କ ନିଜ ନିଜ ଗାଁରୁ ପୁଲିସ୍ ଗିରଫ କରିଥିଲା।





