ବଳଙ୍ଗା, (ବାଘୁଆବାର୍ତ୍ତା): ଭୋଜି କରିବା ପାଇଁ ଛେଳି ଚୋରି କରି ଦୁଇ ଯୁବକ ଗ୍ରାମବାସୀଙ୍କ ଠାରୁ ନିସ୍ତୁକ ମାଡ଼ ଖାଇଛନ୍ତି । ପରେ ପୁଲିସ ଉଭୟଙ୍କୁ ଗିରଫ କରିଛି । ଗିରଫ ଯୁବକମାନେ ହେଲେ ଗୋପ ଥାନା ଅନ୍ତର୍ଗତ ରୁଷିପଡ଼ା ଗ୍ରାମର ପଦ୍ମଚରଣ ସ୍ୱାଇଁ (୩୫) ଏବଂ ଜିତେନ୍ଦ୍ର ସ୍ୱାଇଁ (୩୨) । ବଳଙ୍ଗା ଥାନା ଅନ୍ତର୍ଗତ କେତକୀପାଟଣା ବିଶ୍ୱନାଥଦେଉଳୀ ଗ୍ରାମରେ ଚୈତନ୍ୟ ସ୍ୱାଇଁ ନାମକ ଜଣେ ବୃଦ୍ଧ ବନ୍ଧ ନିକଟରେ ଛେଳି ଚରାଉଥିଲେ । ପଦ୍ମଚରଣ ଏବଂ ଜିତେନ୍ଦ୍ର ଏକ ବାଇକ୍ରେ ଆସି ହଠାତ ଚରୁଥିବା ଛେଳିଭିତରୁ ଏକ ଛେଳିକୁ ଉଠାଇ ନେଇ ପଳାଇଥିଲେ । ଏହାଦେଖି ଚୈତନ୍ୟ ସ୍ଥାନୀୟ ଲୋକଙ୍କୁ ଡାକ ପକାଇଥିଲେ । କିଛି ଯୁବକ ସେଠାରେ ପହଞ୍ଚି ସମସ୍ତ କଥା ଜାଣିବା ପରେ ବାଇକ୍ ଯୋଗେ ଯୁବକମାନଙ୍କ ପିଛା କରଥିଲେ । ଗୋପ ଥାନା ଅନ୍ତର୍ଗତ ଯାଉଳୀପୋଖରୀ ନିକଟରେ ଉଭୟଙ୍କୁ ଧରିବାରେ ସକ୍ଷମ ହୋଇଥିଲେ । ଏହି ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଲୋକେ ଜମା ହେବା ସାଙ୍ଗକୁ ପଦ୍ମଚରଣ ଏବଂ ଜିତେନ୍ଦ୍ରଙ୍କୁ ନିସ୍ତୁକ ମାଡ଼ ଦେଇ ଗୋପ ପୁଲିସକୁ ଖବର ଦେଇଥିଲେ । ପୁଲିସ ପହଂଚି ଯୁବକମାନଙ୍କୁ ଥାନାକୁ ଆଣିଥିଲା । ପରେ ଘଟଣାଟି ବଳଙ୍ଗା ଥାନା ଅଂଚଳର ହୋଇଥିବାରୁ ଗୋପ ପୁଲିସ ବଳଙ୍ଗା ଥାନାକୁ ଉକ୍ତ ୨ ଯୁବକଙ୍କୁ ହସ୍ତାନ୍ତର କରିଥିଲା ଚୈତନ୍ୟଙ୍କ ଅଭିଯୋଗ ଆଧାରରେ ବଳଙ୍ଗା ଥାନାରେ ଏକ ମାମଲା ରୁଜୁ ହୋଇଛି । ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନିମାପଡା କୋର୍ଟରେ ହାଜର କରାଯାଇଥିଲା । ଜାମିନ ନାମଂଜୁର ହେବାରୁ ସେମାନଙ୍କୁ ନିମାପଡ଼ା ଉପକାରାଗାରାକୁ ପଠାଇ ଦିଆଯାଇଛି । ଯୁବକମାନେ ଗାଁରେ ରହୁନଥିବାବେଳେ ଗତକାଲି ଗାଁକୁ ଆସି ଭୋଜି କରିବା ପାଇଁ ଏଭଳି କରିଥିବା ପଦ୍ମଚରଣଙ୍କ ବାପା କହିଛନ୍ତି ।





