ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ମଣପ୍ପୁରମ ଗୋଲ୍ଡ ଲୋନ କମ୍ପାନୀରୁ ୧୭ କିଲୋ ସୁନା ସହିତ ୫ ଲକ୍ଷରୁ ଅଧିକ ଟଙ୍କା ଧରି ଫେରାର୍ ହୋଇଗଲେ ଲୁଟେରା। ଶନିବାର ଆଗରାରେ ଏଭଳି ଘଟଣା ଘଟିଛି। କମ୍ପାନୀ ଭିତରେ ୪ ଜଣ ଦୁର୍ବୃତ୍ତ ପଶିବା ସହିତ ପ୍ରଥମେ କମ୍ପାନୀର କର୍ମଚାରୀଙ୍କୁ ବନ୍ଧକ ବନାଇବା ପରେ ଲୁଟତରାଜ କରି ଫେରାର୍ ହୋଇଯାଇଥିଲେ। ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ତଦନ୍ତ ଆରମ୍ଭ କରିବା ସହିତ ମଣପ୍ପୁରମ ଗୋଲ୍ଡ ଲୋନ୍ କମ୍ପାନୀର କର୍ମଚାରୀଙ୍କୁ ପଚରାଉଚରା ଜାରି ରଖିଛି। ଅଗରାର କମଲାନଗର ଥାନା ଅଞ୍ଚଳରେ ଦିନ ଦ୍ୱିପ୍ରହରେ ଏହି ଲୁଟ୍ ହୋଇଛି। ୪ ଜଣ ଦୁର୍ବୃତ୍ତ ଅସ୍ତ୍ରଶସ୍ତ୍ରରେ କମ୍ପାନୀ ଭିତରେ ପଶିଥିଲେ। ବ୍ୟାଙ୍କ କର୍ମଚାରୀମାନେ ମଧ୍ୟ ସେମାନଙ୍କୁ ଦେଖି ଭୟରେ ପାଟି କରିବାରୁ ଦୁର୍ବୃତ୍ତମାନେ ସେଠାରେ ଉପସ୍ଥିତ ଲୋକଙ୍କୁ ଗୁଳି ମାରିଦେବାକୁ ଧମକାଇଥିଲେ। ଏହାପରେ ଦୁର୍ବୃତ୍ତମାନେ ଷ୍ଟାଫ୍ମାନଙ୍କୁ ବନ୍ଦୀ କରିବା ସହିତ ମନ ଇଚ୍ଛା ଲୁଟିଥିଲେ। ୨୦ ମିନିଟ ଧରି ଲୁଟ୍ତରାଜ ଚଳାଇଥିବା ଦୁର୍ବୃତ୍ତମାନେ କମ୍ପାନୀର ପ୍ରାୟ ୧୭ କିଲୋ ସୁନା ସହିତ ୫ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେବା ପରେ ବାହାରୁ ଗ୍ୟାଟ୍ ବନ୍ଦ କରି ପଳାଇଯାଇଥିଲେ। କମ୍ପାନୀ କର୍ମଚାରୀମାନେ କୌଣସି ମତେ ଲୋକଙ୍କ ସାହାଯ୍ୟରେ ଗେଟ୍ ଖୋଲିବା ସହିତ ପୁଲିସକୁ ଖବର ଦେଇଥିଲେ। ଘଟଣାରେ ପୁଲିସ ତଦନ୍ତ ଜାରି ରଖିଛି।





