ଯାଜପୁରରୋଡ୍, (ବାଘୁଆବାର୍ତ୍ତା): ଯାଜପୁରରେ ଅଭାବନୀୟ ଘଟଣା । ସମ୍ପତ୍ତି ପାଇଁ ଭୁଲିଗଲେ ମାନବିକତା । ବୃଦ୍ଧାଙ୍କୁ ମାଡ଼ ମାରିବା ସହ ଖୁଣ୍ଟରେ ବାନ୍ଧି ଭାଙ୍ଗିଦେଲେ ଘର । ଫିଙ୍ଗିଦେଲେ ଆସବାସପତ୍ର। ନେଇଗଲେ ଟଙ୍କା ଓ ସୁନା ଅଳଙ୍କାର । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା କୋରାଇ ଥାନା ଶିଶୁଆ ଗ୍ରାମରେ। ସୂଚନାଯୋଗ୍ୟ ଯେ, ଶିଶୁଆ ଗ୍ରାମର ବନ୍ଧର୍ବ ମହାରଣା ନିକଟସ୍ଥ ଶାଳକଣା ଗ୍ରାମ ରାସ୍ତା କଡ଼ରେ ଥିବା ନିଜ ଜମିରେ କିଛିଦିନ ହେବ ଘର କରି ସପରିବାର ରହୁଛନ୍ତି । ହେଲେ ଘର କରିଥିବା ଜମିକୁ ନେଇ ଜଣେ ସମ୍ପର୍କୀୟ ଭାଇ ସ୍ଥାନୀୟ ଖସାଗଡିଆ ଗ୍ରାମର ଅଲେଖ ମହାରଣାଙ୍କ ସହ କିଛିଦିନ ହେବ ତାଙ୍କର ତିକ୍ତତା ଲାଗି ରହିଥିଲା । ଏହି ଜମିକୁ ନେଇ ବିଭିନ୍ନ ସମୟରେ ଉଭୟ ପରିବାର ମଧ୍ୟରେ ଗଣ୍ଡଗୋଳ ମଧ୍ୟ ହେଉଥିଲା । କଥା ଥାନାରୁ କୋର୍ଟ ପର୍ୟ୍ୟନ୍ତ ଯାଇଛି । ଏନେଇ ହୋଇଥିବା ମାମଲା ଏବେ କୋର୍ଟରେ ବିଚାରଧୀନ ଅଛି । ତେବେ ଉଭୟ ପରିବାର ମଧ୍ୟରେ ଲାଗିରହିଥିବା ଏହି ବିବାଦ ଶନିବାର ଉଗ୍ରରୂପ ନେଇଥିଲା । ଅପରାହ୍ନରେ ଗନ୍ଧର୍ବ ଘରେ ନଥିବା ସମୟରେ ତାଙ୍କ ସମ୍ପର୍କୀୟ ଭାଇ ୨୦ରୁ ଉର୍ଦ୍ଧ୍ବ ଲୋକଙ୍କୁ ଧରି ସେଠାରେ ପହଞ୍ଚିଥିଲେ । ଘରେ ଥିବା ଗନ୍ଧର୍ବଙ୍କ ପୁଅ ଓ ଝିଅକୁ ମାରଣାସ୍ତ୍ର ଦେଖାଇ ଧମକାଇବାରୁ ସେ ଘର ଛାଡ଼ି ଗାଁ ଭିତରକୁ ପଳାଇଥିଲେ । ଏହି ସମୟରେ ଘରେ ଥିବା ଗନ୍ଧର୍ବଙ୍କ ସ୍ତ୍ରୀ ସାବିତ୍ରୀ ମହାରଣାଙ୍କୁ ସେମାନେ ନିସ୍ତୁକ ମାଡ଼ ମାରିବା ସହ ଦଉଡ଼ି ସାହାଯ୍ୟରେ ଖୁଣ୍ଟରେ ବାନ୍ଧି ଦେଇଥିଲେ । ପରେ ଘରର ଆସବାସପତ୍ର ବାହାରକୁ ଫିଙ୍ଗିଦେଇ ଘର ସମ୍ପୂର୍ଣ୍ଣ ଭାଙ୍ଗି ଦେଇଥିଲେ । ଏଥିସହିତ ଘରେ ଥିବା ଟଙ୍କା ଓ ସୁନା ଅଳଙ୍କାର ନେଇଯାଇଥିବା ଅଭିଯୋଗ ହୋଇଛି । ପରେ ଏନେଇ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।





