ଭାପୁର, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ କରବର ପଞ୍ଚାୟତର କରବର, ବଡ଼ବର ଓ ଗୁଡୁପଡା ଗ୍ରାମର ଲୋକମାନେ ମହାନଦୀ ପଠାରେ ଦୁଇଟି କୁମ୍ଭୀର ବୁଲୁଥିବା ଦେଖିଛନ୍ତି । କୁମ୍ଭୀର ଦୁଇଟି ମାଳିସାହି, କେଉଟସାହି, ମଠ ତୋଠ, ବାଲିସାହି ଆଦି ନଦୀପଠାରେ ବୁଲୁଥିବା ଗ୍ରାମର କିଛି ପୁରୁଷ ଓ ମହିଳା ମହାନଦୀରେ ଗାଧୋଉଥିବା ସମୟରେ ଦେଖିଥିଲେ । ଗୋଟିଏ ଘଡ଼ିଆଳ କୁମ୍ଭୀର ଓ ଅନ୍ୟଟି ଥଣ୍ଟିଆ ପ୍ରଜାତିର ବୋଲି ଲୋକେ କହିଛନ୍ତି । ମହାନଦୀରେ ପ୍ରଥମ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ କୁମ୍ଭୀର ଦୁଇଟି ଉକ୍ତ ବନ୍ୟାଜଳରେ ଭାସି ଆସି କରବର ପଞ୍ଚୟତରେ ଆତଙ୍କ ଖେଳାଇଛନ୍ତି। ଗୋଳିଆ ପାଣିର ସୁଯୋଗ ନେଇ କୁମ୍ଭୀର ଦୁଇଟି ନଦୀର ବିଭିନ୍ନ ପଠାରେ ବୁଲୁଥିବାର ଖବର ପାଇ ସ୍ଥାନୀୟ ସରପଞ୍ଚ ମମତା ସ୍ୱାଇଁ ନୟାଗଡ଼ ବନଖଣ୍ଡ ଅଧିକାରୀ ଏଚ.ଡି. ଧନରାଜଙ୍କୁ ଜଣାଇବା ସହ କୁମ୍ଭୀର ଦୁଇଟିକୁ ଧରିବା ପାଇଁ ଅନୁରୋଧ କରିଥିଲେ । ବନଖଣ୍ଡ ଅଧିକାରୀ କୁମ୍ଭୀର ଦୁଇଟି ଧରା ନହେବା ପର୍ୟ୍ୟନ୍ତ ମହାନଦୀକୁ ଗାଧୋଇ ନଯିବା ପାଇଁ କହିଥିଲେ। ଏନେଇ ସ୍ଥାନୀୟ ସରପଞ୍ଚ ପଞ୍ଚାୟତରେ ଡେଙ୍ଗୁରା ବାଡେଇ ଲୋକଙ୍କୁ ସଚେତନ କରାଇଛନ୍ତି। ତୁରନ୍ତ କୁମ୍ଭୀର ଦୁଇଟି ଧରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।






