ପୁରୀ,(ବାଘୁଆବାର୍ତ୍ତା): ରଥଯାତ୍ରା ଦିନଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ଜୟବିଜୟ ଦ୍ବାର ସମ୍ମୁଖରେ ଅଟକି ରହିଥିବା ତିନି ରଥ ଆଜି ଦକ୍ଷିଣମୋଡ଼ ନେବେ। ନାକଚଣା ଦ୍ବାରସ୍ଥିତ ଶରଧାବାଲିରେ ବିଜେ କରିବେ। ଆଜି ସେବାୟତ ଓ ପୁଲିସ ବଳଙ୍କ ସହଯୋଗରେ ତିନି ରଥକୁ ନାକଚଣା ଦ୍ବାର ସମ୍ମୁଖ ଶରଧାବାଲିକୁ ନିଆଯିବ। ରଥଯାତ୍ରା ପରଠାରୁ ତିନି ରଥ ଉତ୍ତରମୁହାଁ ହୋଇ ରହିଥାନ୍ତି। ବାହୁଡ଼ାଯାତ୍ରା ପୂର୍ବପ୍ରସ୍ତୁତି ସ୍ବରୂପ ତିନି ରଥକୁ ଦକ୍ଷିଣମୋଡ଼ ଦେଇ ସୁସଜ୍ଜିତ କରି ରଖାଯିବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନୀତି ଚୂଡ଼ାନ୍ତ ହୋଇଛି। ମଧ୍ୟାହ୍ନ ସାଢ଼େ ୧୨ଟାରେ ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ପରେ ତିନି ରଥ ଦକ୍ଷିଣ ମୋଡ଼ ନେଇ ଶରଧାବାଲିରେ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତ ହୋଇ ରହିବେ।






