ବୁର୍ଲା, (ବାଘୁଆବାର୍ତ୍ତା): ପ୍ରେମିକାକୁ ଧୋକା ଦେଇ ଦୁଇ ଭାଇ ଗିରଫ । ପ୍ରଥମେ ଲଭ, ସେକ୍ସ ଓ ଏହାପରେ ଅପହରଣର ନାଟକ । ଏହାର ପର୍ଦ୍ଦାଫାଶ କରିଛନ୍ତି ପୁଲିସ । ସ୍ୱାମୀ ସ୍ତ୍ରୀ ଭଳି ରହିବା ପରେ ପ୍ରେମିକାକୁ ଧୋକ୍କା ଦେଲା ପ୍ରେମିକ । ଆଉ ପ୍ରେମିକା ଠାରୁ ନିଜକୁ ଦୂରେଇ ରଖିବା ପାଇଁ ରଚିଲା ଅପହରଣ ନାଟକ । ହେଲେ ଧୋକାବାଜ୍ ପ୍ରେମିକର ଅସଲ ରୂପକୁ ପର୍ଦ୍ଦାଫାସ କରିବାରେ ବୁର୍ଲା ପୁଲିସ ସଫଳ ହୋଇଛି । ଏହି ଧୋକାବାଜ୍ ପ୍ରେମିକ ଏବଂ ତାର ଭାଇକୁ ଗିରଫ କରିଛି । ଗିରଫ ଯୁବକ ଦୁଇଜଣ ହେଲେ ବୁର୍ଲା ଥାନା ଗୋଶାଳାର ପିଙ୍କୁ ସିଂ ଏବଂ ତାଙ୍କ ଭାଇ ବିକାଶ ସିଂ ବୋଲି ଜଣାପଡିଛି । ପିଙ୍କୁ ଗତ ମେ ମାସ ୩୦ ତାରିଖ ଦିନ ତାଙ୍କ ଗ୍ରାମର ଜଣେ ୨୧ ବର୍ଷୀୟ ଯୁବତୀଙ୍କୁ ନେଇ ଫେରାର ହୋଇଯାଇଥିଲା । ଦୀର୍ଘବର୍ଷ ହେବ ଉଭୟେ ଉଭୟଙ୍କୁ ଭଲ ପାଉଥିଲେ । ଏହାପରେ ସଂପୃକ୍ତ ଯୁବତୀ ନିଖୋଜ ହେବା ନେଇ ତାଙ୍କ ପରିବାର ଲୋକେ ବୁର୍ଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଫଳରେ ପୁଲିସ ଉଭୟଙ୍କୁ ଖୋଜିବା ଆରମ୍ଭ କରିଥିଲେ । ଇତିମଧ୍ୟରେ ଉଭୟ ପ୍ରେମିକ ପ୍ରେମିକା ଭଦ୍ରକ ଅଞ୍ଚଳକୁ ଚାଲିଯାଇ ସେଠାରେ ବିବାହ କରିଥିଲେ । ଏହାପରେ ବୁର୍ଲା ସହରରେ ଏକ ଘର ଭଡା ନେଇ ଆତ୍ମଗୋପନ କରିଥିଲେ । ପୁଣି ଉଭୟେ ସାବାଳକ ହୋଇଥିବାରୁ ତାଙ୍କୁ ପୁଲିସକୁ ନେଇ ଡର ନ ଥିଲା । ହେଲେ ଉଭୟେ ଅନ୍ୟ ଜାତିର ହୋଇଥିବାରୁ ପୁଅ ଘର ପରିବାରକୁ ଡର ଥିଲା କାରଣ ସେମାନେ ଏହାକୁ ସ୍ୱୀକାର କରୁନଥିଲେ । ଏହାପରେ ଗତ ୧୨ ତାରିଖ ଦିନ ପିଙ୍କୁଙ୍କ ଯୋଜନା ଅନୁଯାୟୀ ଥାନାକୁ ଯାଇ ଆତ୍ମସମର୍ପଣ କରିବା ପାଇଁ ଯୁବତୀଙ୍କୁ ସାଙ୍ଗରେ ନେଇ ଥାନାକୁ ବାହାରିଥିଲା । ହେଲେ ହଠାତ୍ ଥାନା ଯିବା ବାଟରେ ପିଙ୍କୁକୁ କେହି ଅପହରଣ କରି ନେଇଥିଲା । ଏହାପରେ ଯୁବତୀ ଜଣକ ବୁର୍ଲା ଥାନାରେ ସ୍ୱାମୀଙ୍କୁ କେହି ଅପହରଣ କରି ନେଇଥିବା ଅଭିଯୋଗ କରିଥିଲେ । ପୁଲିସ ଯୁବତୀଙ୍କ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଥିଲା । ଆଉ ଗତକାଲି ପୁଲିସ ପିଙ୍କୁ ସୁନ୍ଦରଗଡରେ ତାଙ୍କ ଭଉଣୀ ଘରେ ଆତ୍ମଗୋପନ କରିଥିବା ଜାଣିଥିଲା । ଏହାପରେ ସେଠାରୁ ବୁର୍ଲା ପୁଲିସ ପିଙ୍କୁ ଏବଂ ତା ଭାଇ ବିକାଶଙ୍କୁ ଉଠାଇ ଆଣିଥିଲା । ଥାନାରେ ପଚରାଉଚୁରା ପରେ ପିଙ୍କୁ ଅପହରଣ ନାଟକ ନିଜେ ରଚିଥିବା ବେଳେ ତାଙ୍କ ଭାଇ ଏଥିରେ ସାହାଯ୍ୟ କରିଥିବା ଉଭୟେ ସ୍ୱୀକାର କରିଥିଲେ । ଘର ଲୋକେ ଚାହୁଁନଥିବାରୁ ଏଭଳି ଅପହରଣ ନାଟକ କରି ଯୁବତୀଙ୍କ ଠାରୁ ଦୂରେଇ ଯିବାକୁ ପିଙ୍କୁ ଯୋଜନା କରିଥିବା ନେଇ ସୂଚନା ଦେଇଛି ।





