ପେରାମ୍ୱଲୁର, (ବାଘୁଆବାର୍ତ୍ତା): ତାମିଲନାଡୁର ପେରାମ୍ୱଲୁରରେ ଧୀରାନ ନଗର ଅଞ୍ଚଳରୁ ଜଣେ ନିଷ୍ଠୁର ବାପାର ଭିଡ଼ିଓ ସାମନାକୁ ଆସିଛି , ଯିଏକି ମଦ ନିଶାରେ ନିଜର ୬ ବର୍ଷର କୋମଳମତି ଛୋଟ ଝିଅକୁ ଅତି ନିର୍ମମ ଭାବେ ମାଡ଼ ମାରୁଥିଲେ। ସ୍ଥାନୀୟ ଲୋକଙ୍କ ମଧ୍ୟରୁ କେହି ଜଣେ ଏହି ଘଟଣାର ଭିଡିଓ ମୋବାଇଲରେ ସୁଟ୍ କରି ଉକ୍ତ ଭିଡ଼ିଓକୁ ପୁଲିସ୍ ଅଧିକ୍ଷକ ଓ ଶିଶୁ କଲ୍ୟାଣ ଅଧିକାରୀଙ୍କୁ ଫରୱାର୍ଡ କରିଥିଲେ । ଯେଉଁ ବ୍ୟକ୍ତି ଜଣକ ମଦ ନିଶାରେ ନିଜର ହିତାହିତ ଜ୍ଞାନ ହରାଇ ଏମିତି କାମ କରୁଥିଲେ , ତାଙ୍କ ନାଁ ହେଉଛି ରମେଶ(୩୪) । ରମେଶଙ୍କର ଏଭଳି ହରକତ କାରଣରୁ ତାଙ୍କର ପତ୍ନୀ ସାରନ୍ୟା ୨ବର୍ଷ ପୂର୍ବେ ଘର ଛାଡ଼ି ନିଜର ମାତା ପିତାଙ୍କ ପାଖକୁ ଚାଲି ଯାଇଥିଲେ । ଜଣେ ଝିଅକୁ ସେ ନିଜ ସହ ନେଇ ଯାଇଥିଲେ ଏବଂ ଦ୍ୱିତୀୟ ଝିଅକୁ ତାର ଜେଜେ ଜେଜିମାଆ ପାଖରେ ଛାଡ଼ି ଦେଇଥିଲେ। ଦମ୍ପତିଙ୍କର ୨ଟି ସନ୍ତାନ ଥିଲେ । ପଡ଼ୋଶୀଙ୍କର କହିବା ମୁତାବକ , ରମେଶ ପୂର୍ବରୁ ବି ମଦ ନିଶାରେ ଅନେକ ଲୋକଙ୍କ ସହ ଝଗଡ଼ା କରୁଥିଲେ । ଏହାସହ ଘରକୁ ଆସିଲେ ତାଙ୍କର ନିତି ନିଜ ଝିଅକୁ ପିଟିବା ଏକ ଅଭ୍ୟାସରେ ପରିଣତ ହୋଇଯାଇ ଥିଲା । ପଡ଼ୋଶୀମାନେ ଏହି ପିଲାଟିର ପାଟି ଶୁଣି ଅନେକ ଥର ରକ୍ଷା କରିବାକୁ ଚେଷ୍ଟା ବି କରିଛନ୍ତି । ହେଲେ ରମେଶ ମରିବା –ମାରିବା ଯାଏ ଆଗେଇ ଆସୁଥିଲା । ଏହି ନିରୀହ ଝିଅକୁ ପ୍ରତିଦିନ ମାଡ଼ମରାରୁ ବଞ୍ଚାଇବା ପାଇଁ ଜଣେ ପଡ଼ୋଶୀ ଏକ ଭିଡ଼ିଓ କରି ଥିଲେ । ଘଟଣାର ଭିଡ଼ିଓକୁ ଏସ୍ପି ଏସ୍ ମଣି ଓ ଶିଶୁ କଲ୍ୟାଣ ଅଧିକାରୀ ଅରୁଲ ସେଲଭିଙ୍କୁ ପଠାଇ ଥିଲେ । ପୁଲିସ୍ ଏହା ଉପରେ ତୁରନ୍ତ ଆକ୍ସନ ନେଇଥିଲେ ।





