ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ବେଳେ ବେଳେ ବ୍ରେକଅପ୍ ପରେ ପୁଅ-ଝିଅ ପରଷ୍ପର ବିରୋଧରେ ବଦ୍ଲା ନେବାକୁ ଅନେକ ଉପାୟ ଆପଣେଇଥାନ୍ତି। ଏମିତି ଏକ ମାମଲା ସାମ୍ନାକୁ ଆସିଛି। ଜଣେ ଯୁବତୀ ପୂର୍ବତନ ପ୍ରେମିକର ପ୍ରତିଶୋଧ ନେବାକୁ ଯାଇ ଏମିତି କାରନାମା କରିଛନ୍ତି ଯାହାକି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଗ୍ଲୋବାଲ ଟାଇମ୍ସରେ ପ୍ରକାଶିତ ଖବର ଅନୁସାରେ, ଏହି ମାମଲା ଚୀନର ଶକ୍ସିଙ୍ଗ ସହରର। କିୟାନ ନାମକ ଜଣେ ଯୁବତୀ ଲାଲ ବତୀ ଥିବା ସତ୍ବେ ଗୋଟିଏ କାରରେ ୪୯ ଥର ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିଥିଲେ । ୫୦ ଥର ଯେତେବେଳେ ସେ ଦ୍ରୁତ ଗତିରେ ସିଗନାଲ ଭାଙ୍ଗିବାକୁ ଚେଷ୍ଟା କରୁଥିଲେ ତାଙ୍କୁ ପୋଲିସ କାବୁ କରିନେଇଥିଲା। କିୟାନଙ୍କ ସମେତ ତାଙ୍କର ଜଣେ ବନ୍ଧୁଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। କିୟାନଙ୍କ ବନ୍ଧୁ କାରଟିକୁ ଭଡ଼ାରେ ଆଣିଥିଲେ। କାର ମାଲିକଙ୍କ ସମ୍ପର୍କରେ ପୋଲିସକୁ ଯେଉଁ ସୂଚନା ମିଳିଥିଲା ତାହା ବଡ଼ ରୋଚକ ଥିଲା। କାରର ମାଲିକ ଚେନ୍ ହୋଇଥିବା ବେଳେ ସେ ଯୁବତୀଙ୍କ ପୂରୁଣା ବୟଫ୍ରେଣ୍ଡ ଥିଲେ। ନିଜର ଏକ ବନ୍ଧୁଙ୍କ ସାହାଯ୍ୟରେ କିୟାନ ପୂରୁଣା ପ୍ରେମିକଙ୍କ ପାଖରେୁ କାର ଭଡ଼ାରେ ଆଣିଥିଲେ। ଏହା ପରେ ଚେନ୍ଙ୍କ କାରରେ ୪୯ ବାର ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିଥିଲେ। ଏବେ ତାଙ୍କୁ ପୋଲିସ ଗିରଫ କରିଛି। ଏମିତି କଣ ପାଇଁ କଲେ ବୋଲି ପ୍ରଶ୍ନରେ କିୟାନ କହିଛନ୍ତି, ଅନ୍ୟ ଏକ ଯୁବତୀଙ୍କ ସମ୍ପର୍କରେ ଆସି ଚେନ୍ ତାଙ୍କ ସହ ବ୍ରେକଅପ୍ କରିଥିଲେ। ଏହାକୁ ନେଇ ତାଙ୍କ ଉପରେ କିୟାନ ରାଗି ଯାଇଥିଲେ। ମଉକା ଦେଖି ପୂର୍ବତନ ପ୍ରେମିକଙ୍କ ପାଖରୁ ପ୍ରତିଶୋଧ ନେବେ ବୋଲି ସ୍ଥିର କରିଥିଲେ କିୟାନ।





