ଯାଁଳା, (ବାଘୁଆବାର୍ତ୍ତା): ଦୁଇ ଲକ୍ଷ ଟଙ୍କାର ଅଳଙ୍କାର ରହିଥିବା ବ୍ୟାଗ ଓ ୧୨ ହଜାର ଟଙ୍କା ହଜିଯାଇଥିବା ବ୍ୟକ୍ତିଙ୍କୁ ଫେରାଇ ମଣିଷ ପଣିଆର ପରିଚୟ ଦେଇଛନ୍ତି ଦୁଇ ଜଣ ଅଟୋ ଚାଳକ । ସେ ଦୁଇ ଜଣ ହେଲେ ବାଲିପାଟଣା ବନମାଳିପୁର ଅଞ୍ଚଳର ଅଜୟ କୁମାର ନାୟକ ଏବଂ କଳିଙ୍ଗନଗର ଅଟୋ ମହାସଂଘର ଚକ୍ରଧର ବେହେରା । କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ତାଳବସ୍ତ ଗ୍ରାମର କ୍ଷୀଶୁ ବିହାରୀ ଏବଂ ତାଙ୍କ ପତ୍ନୀ ଗିତାଞ୍ଜଳି ବିହାରୀ ବାଇକ୍ ଯୋଗେ ଭୁବନେଶ୍ୱର ଭିମଟାଙ୍ଗୀ ଆସିବା ବେଳେ ୧୬ନଂ ଜାତୀୟ ରାଜପଥ ତମାଣ୍ଡୋ ବଜାର ନିକଟରେ ବାଇକ୍ ପଛରେ ବାନ୍ଧିଥିବା କ୍ୟାରି ବ୍ୟାଗଟି ପଡ଼ି ଯାଇଥିଲା । ସେହି ସମୟରେ ପଛରେ ଯାଉଥିବା ଅଟୋ ଡ୍ରାଇଭର ଅଜୟ ବ୍ୟାଗ ଧରି କଳିଙ୍ଗନଗର ଅଟୋ ମହାସଂଘ ପାଖରେ ପହଞ୍ଚି ସେଠାରେ ଥିବା ଡ୍ରାଇଭର ଚକ୍ରଧରଙ୍କୁ ଜଣାଇଥିଲେ । ଚକ୍ରଧର ସଙ୍ଗେ ସଙ୍ଗେ ତମାଣ୍ଡୋ ଥାନାକୁ ବ୍ୟାଗ୍ ବିଷୟରେ ଜଣାଇ ଥାନାରେ ବ୍ୟାଗଟିକୁ ହସ୍ତାନ୍ତର କରିଥିଲେ । ଉକ୍ତ ବ୍ୟାଗରେ ୫ଟି ସୁନା ମୁଦି, ୨ଟି ମଙ୍ଗଳସୂତ୍ର, ୨ଟି ସୁନାଚେନ ଏମିତି ଦୁଇ ଲକ୍ଷ ଟଙ୍କାର ଅଳଙ୍କାର ସହ ୧୨ ହଜାର ଟଙ୍କା ଏବଂ ଅନ୍ୟାନ୍ୟ ସମସ୍ତ କାଗଜପତ୍ର ରହିଥିଲା । ସେପଟେ ସ୍ୱାମୀ ସ୍ତ୍ରୀ ଦୁଇଜଣ ଖଣ୍ଡଗିରି ଛକରେ ପହଞ୍ଚିଲା ବେଳକୁ ଜାଣିବାକୁ ପାଇଥିଲେ ପଛରେ ବାନ୍ଧିଥିବା କ୍ୟାରି ବ୍ୟାଗଟି କେଉଁଠି ଖସିପଡିଛି । ଦୁଇ ଜଣ ବହୁ ଖୋଜାଖୋଜି କରି ତମାଣ୍ଡୋ ଥାନାକୁ ଅଭିଯୋଗ କରିବା ପାଇଁ ଆସିଥିବା ବେଳେ ତମାଣ୍ଡୋ ଥାନା ଅଧିକାରୀ ତାଙ୍କର ସମସ୍ତ ଜିନିଷ ହସ୍ତାନ୍ତର କରିଥିଲେ ।





