ଆଠଗଡ, (ବାଘୁଆବାର୍ତ୍ତା): ପାଣି ମାହାରାକୁ ନେଇ ଦୁଇ ପରିବାର ମଧ୍ୟରେ ସଂଘର୍ଷ। ଦୁଇ ପରିବାର ମଧ୍ୟରେ ମାରପିଟ ଓ ପଥର ମାଡ଼। ଉଭୟ ପରିବାରର ପାଞ୍ଚ ଜଣ ଆହତ। ଗୁରୁତରଙ୍କୁ ପ୍ରଥମେ କାନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ସେମାନଙ୍କୁ କଟକ ବଡ଼ଡାକ୍ତରଖାନାକୁ ପଠାଇଦେଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା କାନପୁର ଥାନା ଅନ୍ତର୍ଗତ ଆତଣ୍ଡା ଗ୍ରାମରେ। ଆତଣ୍ଡା ଗ୍ରାମ ପଛ ପାଖ ଦେଇ ଯାଇଥିବା ଏକ ପାଣି ମାହାରା ଉପରେ ଗୋଟିଏ ପରିବାର ଲୋକ ମାଟି ପକାଇ ଦେଇଥିଲେ। ଅନ୍ୟ ପରିବାର ଲୋକ ଏ ସମ୍ପର୍କରେ ଗ୍ରାମର ସଭାପତିଙ୍କୁ ଜଣାଇଥିଲେ। ଗ୍ରାମ ସଭାପତି ପାଣି ମାହାର ପାଖକୁ ଯାଇ କଣ ହୋଇଛି ତାହା ଦେଖିଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଉଭୟ ପରିବାର ଲୋକଙ୍କ ମଧ୍ୟରେ ବଚସା ହୋଇଥିଲା। ବଚସା ପରେ ଉଗ୍ର ରୂପ ଧାରଣ କରିଥିବା ବେଳେ ଉଭୟ ପରିବାର ପରସ୍ପରକୁ ପଥର ମାଡ଼ କରିବା ସହିତ ଠେଙ୍ଗାରେ ପିଟାପିଟି ହୋଇଥିଲେ। ଉଭୟ ପରିବାରର ୫ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କୁ ପ୍ରଥମେ କାନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ବେଳେ ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ଡାକ୍ତର ସେମାନଙ୍କୁ କଟକ ବଡ଼ଡାକ୍ତରଖାନାକୁ ପଠାଇଦେଇଛନ୍ତି। କାନପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।





