ଭଦ୍ରକ, (ବାଘୁଆବାର୍ତ୍ତା): ଏକ ବୋଲେରୋରୁ ୮ ଶହ ଲିଟର ଦେଶୀ ମଦ ଜବତ। ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ଟେରା ଛକ ନିକଟରୁ ପାଟ୍ରୋଲିଂ ବେଳେ ଏକ ମଦ ବୋଝେଇ ବୋଲେରୋ ଜବତ କରିଛି ଅବକାରୀ ବିଭାଗ। ତେବେ ଘଟଣାସ୍ଥଳରୁ ଜଣେ ଗିରଫ ହୋଇଥିବା ବେଳେ ଅନ୍ୟ ୨ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ଭଦ୍ରକ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଅବକାରୀ ନିରୀକ୍ଷକ ଧନେଶ୍ୱର ବରାଡ଼, ଭ୍ରାମ୍ୟମାଣ ସ୍କ୍ୱାଡ ଭାରପ୍ରାପ୍ତ ଅଧିକାରୀ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ୍ ବାସୁଦେବପୁର ଥାନା ଅନ୍ତର୍ଗତ ଟେରା ଛକ ନିକଟରେ ପେଟ୍ରୋଲିଂ କରୁଥିଲେ। ଏହି ସମୟରେ ଗୋଟିଏ ମହିନ୍ଦ୍ରା ବୋଲେରୋ ଗାଡିକୁ ଅଟକାଇ ଯାଞ୍ଚ୍ କରିଥିଲା ଏହି ଟିମ୍। ତେବେ ଯାଞ୍ଚ୍ ବେଳେ ବୋଲେରୋ ଭିତରୁ ୮ ଶହ ଲିଟର ଦେଶୀ ରନ୍ଧା ମଦ ଜବତ ହୋଇଥିବା ସହ ଜଣେ ଗିରଫ ହୋଇଛି। ଅନ୍ୟ ୨ ଜଣ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ନୀଳଗିରି ଥାନା ଅନ୍ତର୍ଗତ ଚତର ଗ୍ରାମର ରାକେଶ କୁମାର ମେଦିନରାୟ। ଜବତ ହୋଇଥିବା ମଦର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢାଉରେ ଏ.ଏସ୍.ଆଇ ଭବେଶ ଦାସ, ପ୍ରହଲ୍ଲାଦ ସାମଲ ପ୍ରମୁଖ ସାମିଲ ଥିବା ବେଳେ ଏନେଇ ଅବକାରୀ ବିଭାଗ ପକ୍ଷରୁ ମାମଲା ରୁଜୁ କରାଯାଇଛି ଓ ଫେରାର ଦୁଇ ଅଭିଯୁକ୍ତଙ୍କୁ ଖୋଜୁଛି ଅବକାରୀ ବିଭାଗ ।





