ବୌଦ୍ଧ,(ବାଘୁଆବାର୍ତ୍ତା): କିଛିଦିନ ଧରି ବିଭିନ୍ନ ସ୍ଥାନରେ ବୁଲିବା ପରେ ଶନିବାର ସକାଳେ ଏକ ଓଟ ବୌଦ୍ଧ ସହରକୁ ଆସିଛି। ମୁଣ୍ଡ ଟେକି ୫୭ ନଂ ଜାତୀୟ ରାଜପଥରେ ବୁଲୁଥିବା ବେଳେ କେବଳ ଏପଟ ସେପଟକୁ ଅନାଇ ଚାଲିଥାଏ। ସତେ ଯେପରି ସେ କାହାକୁ ଖୋଜୁଛି ଭଳି ମନେ ହେଉଥିଲା। ପ୍ରକାଶ ଯେ, କିଛି ମାସ ପୂର୍ବରୁ ଦୁଇଜଣ ଲୋକ ଦୁଇଟି ଓଟ ଧରି ବୌଦ୍ଧ ସହରରେ ବୁଲୁଥିବା ଦେଖାଯାଇଥିଲା। ଦୁଇ ଓଟ ମାଲିକ ଏକା ସାଙ୍ଗରେ ବୁଲୁଥିଲେ। ମରୁଭୂମିର ଜୀବକୁ ଦେଖାଇ ଘର ଓ ଦୋକାନରୁ ଟଙ୍କା ମାଗୁଥିଲେ। ସେତେବେଳେ ମାଲିକର ବୋଲ ମାନୁଥିଲା ଓଟ। ମାଲିକର ଭାଷା ବୁଝି ଚାଲୁଥିଲା, ଅଟକୁଥିଲା, ବସୁଥିଲା ଓ ଉଠୁଥିଲା। ତା ପଠିରେ ଲଦା ହୋଇଥିଲା ମାଲିକର ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ। ଏବେ ବୁଲୁଥିବା ଅଣ୍ଡିରା ଓଟଟି ଗଳାରେ କେବଳ ଏକ ପତଳା ଦୌଡ଼ି ଲାଗିଛି। ସାଙ୍ଗରେ କେହି ନାହାନ୍ତି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ଆଲୋଚନା ହେଉଛି। ଅସୁରକ୍ଷିତ ଭାବରେ ବୁଲୁଥିବା ଗୃହପାଳିତ ଓଟକୁ ବନ ବିଭାଗ ସୁରକ୍ଷା ଦେବା ଜରୁରି ହୋଇ ପଡ଼ିଛି।






