ଗଞ୍ଜାମ, (ବାଘୁଆବାର୍ତ୍ତା): ଗଞ୍ଜାମ ଜିଲା ଜଗନ୍ନାଥ ପ୍ରସାଦ ବ୍ଲକ ପଞ୍ଚଭୂତି ଗ୍ରାମ ବେଢା ସାହିରେ ସମ୍ପତ୍ତି ବିବାଦକୁ କେନ୍ଦ୍ର କରି ଜଣକୁ ହତ୍ୟା କରାଯାଇଛି। ମୃତକ ଜଣକ ହେଉଛନ୍ତି ସେହି ଗ୍ରାମର ସନ୍ତୋଷ ନାୟକ (୩୮)। ସନ୍ତୋଷଙ୍କ ବଡ ଭାଇ ଭଗବାନଙ୍କ ୪ ବର୍ଷ ତଳେ ମୃତ୍ୟୁ ହୋଇସାରିଛି। ସ୍ୱାମୀଙ୍କ ପୈତୃକ ସମ୍ପତ୍ତିରୁ ଭାଗ ମାଗୁଥିବାରୁ ଭଗବାନଙ୍କ ସ୍ତ୍ରୀ ଲକ୍ଷ୍ମୀଙ୍କ ସହ ସନ୍ତୋଷ ଓ ତାଙ୍କ ବାପା ଗୋରାଚାନ୍ଦଙ୍କ ବିବାଦ ଲାଗି ରହିଥିଲା। ଶନିବାର ଲକ୍ଷ୍ମୀ, ତାଙ୍କ ବାପା ଓ ୩ ଭାଇ ମିଶି ସନ୍ତୋଷ ଓ ଗୋରାଚାନ୍ଦଙ୍କୁ ବାଉଁଶ, ଠେଙ୍ଗା, କୋଡିରେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ସନ୍ତୋଷଙ୍କୁ ଜଗନ୍ନାଥପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ସେଠାରେ ସନ୍ତୋଷଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ଆକ୍ରମଣ ଓ ପ୍ରତି ଆକ୍ରମଣରେ ଲକ୍ଷ୍ମୀ, ତାଙ୍କ ବାପାଙ୍କ ସମେତ ମୃତ ସନ୍ତୋଷଙ୍କ ବାପା ମଧ୍ୟ ଆହତ ହୋଇଛନ୍ତି। ସନ୍ତୋଷଙ୍କ ସ୍ତ୍ରୀ ମୀରା ନାୟକ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ୪ ଜଣଙ୍କୁ ଅଟକ ରଖିଛି।





