ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): କୋଭିଡ୍ ସମୟରେ କ୍ରିକେଟ୍ ପ୍ରେମୀମାନଙ୍କ ପାଇଁ ବିସିସିଆଇ ବଡ଼ ଘୋଷଣା । ଏଣିକି ଆୟୋଜିତ ହେବ ଘରୋଇ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ । ମହାମାରୀ କରୋନା ଯୋଗୁଁ ଦେଶରେ ଗତବର୍ଷ ଠାରୁ ସମସ୍ତ ପ୍ରତିଯୋଗିତା ବାତିଲ୍ କରାଯାଇଥିଲା । ବର୍ତ୍ତମାନ ଦେଶରେ ମହାମାରୀ କରୋନା ଲହରର ମଳିନ ପଡୁଥିବାରୁ ଆସନ୍ତା ଅକ୍ଟୋବର ମାସରୁ ରଣଜୀ ଟ୍ରଫି ସହ ଅନ୍ୟାନ୍ୟ ଟୁର୍ଣ୍ଣାମେଣ୍ଟ ଆୟୋଜିତ କରାଯିବ । ସିଜିନ୍ ଆରମ୍ଭରୁ ମହିଳା ଦିନିକିଆ କ୍ରିକେଟ୍ ଖେଳାଯିବା ଏବଂ ପରେ ସୟେଦ ମସ୍ତାକ ଅଲ୍ଲୀ ଟୁର୍ଣ୍ଣାମେଣ୍ଟ ଆୟୋଜିତ କରାଯିବ । ରଣଜୀ ଟ୍ରଫି ନଭେମ୍ବର ୧୬ରୁ ଆରମ୍ଭ ହେବାକୁ ଥିବା ବେଳେ ଆସନ୍ତ ବର୍ଷ ଫେବୃୟାରୀ ୨୩ରୁ ମାର୍ଚ୍ଚ ୨୬ ତାରିଖ ପର୍ଯ୍ୟନ୍ତ ବିଜୟ ହଜାରେ ଟ୍ରଫି ଖେଳାଯିବ ।






