ପୁରୀ, (ବାଘୁଆବାର୍ତ୍ତା): ଚୋର ଚୋରି କଲା । ଗାଡ଼ି ନେଇ ଖସିଗଲା । ପରେ ଫସିଗଲା । ବାଟବଣା ହୋଇ ଅମୁହିାଁ ଗଳିରେ ପଶିଗଲା । ଏହାପରେ ବାନ୍ଧିଲା ପୁଲିସ । ଗିରଫ ଚୋର ଜଣକ ସୁନ୍ଦରଗଡ ତଳସରା ଥାନା ଅଧୀନ ତିଠେଇଟାଙ୍ଗର ଗ୍ରାମର ମଙ୍ଗୁଲୁ ଗିଧିଲି (୨୩) । ଶୁକ୍ରବାର ପୂର୍ବାହ୍ନରେ ଷ୍ଟେସନ୍ ନିକଟ ଗରୁଡ ଛକରେ ଖାକିମଠ ନୂଆସାହିର ରାଜକିଶୋର ଦାସ ପରିବା କିଣୁଥିଲେ । ପାଖରେ ଥିଲା ତାଙ୍କ ମୋପେଡ (ଓଆର-୧୩ଏଚ୍-୨୯୭୧) । ମଙ୍ଗୁଲୁ ଏହି ମୋପେଡ ଚୋରି କରି ସେଠାରୁ ଖସି ପଳାଇଥିଲା । ହେଲେ ଯିବାବେଳେ ବାଟବଣା ହୋଇ ସେ ପାତ୍ର ସାହି ନିକଟ ଏକ ଅମୁହାଁ ଗଳିରେ ପଶିଯାଇଥିଲା । ଗଳି ଶେଷରେ ବାଟ ନଥିବାରୁ ସେଠାରେ ଅଟକି ଯାଇ ହଡବଡେଇ ଯାଇଥିଲା ମଙ୍ଗୁଲୁ । ତା’ ହାବଭାବ ଦେଖି ସ୍ଥାନୀୟ ଲୋକେ ସନ୍ଦେହରେ ତାକୁ ଅଟକାଇଥିଲେ । ମୋପେଡରେ ପୁରୀ ନମ୍ବର ଓ ତା’ ଭାଷାରୁ ସେ ପୁରୀ ବାହାରର ବୋଲି ଜଣାପଡିଥିଲା । ତେଣୁ ଲୋକେ ଯାଞ୍ଚ କରିବା ପରେ ଏହି ମୋପେଡ୍ ଡିକିରେ ଥିବା କାଗଜପତ୍ରରୁ ଗାଡିଟି ରାଜକିଶୋରଙ୍କର ବୋଲି ଜଣାପଡିଥିଲା । ପରେ ଲୋକେ ତାକୁ ପୁଲିସକୁ ହସ୍ତାନ୍ତର କରିଥିଲେ । ପଚରାଉଚରା ପରେ ସେ ଏହାକୁ ଚୋରି କରିଥିବା ପୁଲିସ ଜାଣିବାକୁ ପାଇଥିଲା । ରାଜକିଶୋର ଏନେଇ ଏତଲା ଦେବା ପରେ ପୁଲିସ ଚୋରି ମାମଲା (୨୨୧/୨୧) ରୁଜୁ କରି ତାକୁ ଗିରଫ କରିଛି।





