ଭଦ୍ରକ, (ବାଘୁଆବାର୍ତ୍ତା): ଜିଲ୍ଲାରେ ନାବାଳିକା ଯୌନ ନିର୍ଯ୍ୟାତନା ମାମଲାର ତ୍ୱରିତ ବିଚାର ପାଇଁ ଭଦ୍ରକ ଜିଲ୍ଲାରେ ଏକ ସ୍ୱତନ୍ତ୍ର ପୋସ୍କୋ କୋର୍ଟ ଆଜି ଉଦଘାଟିତ ହୋଇଯାଇଛି । ଏହାକୁ ମୁଖ୍ୟ ଅତିଥିଭାବେ ଓଡ଼ିଶା ଉଚ୍ଚତମ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ. ଉୁରଲୀଧରଙ୍କ କରକମଳରେ ଭର୍ଚୁଆଲ ମାଧ୍ୟମରେ ଉଦଘାଟିତ ହୋଇଯାଇଛି । ଯୌନ ନିର୍ଯ୍ୟାତନା ମାମଲା ଗୁଡିକର ବିଚାର ପାଇଁ ସରକାର ସ୍ୱତନ୍ତ୍ର ପୋସ୍କୋ ଆଇନକୁ ଅଧିକ କଡାକଡି କରିଛନ୍ତି । ଏଥିସହ ମାମଲା ଗୁଡିକ ସ୍ୱତନ୍ତ୍ର କୋର୍ଟ ମାଧ୍ୟମରେ ୬ମାସ ମଧ୍ୟରେ ଶୁଣାଣି ଶେଷ କରିବା ପାଇଁ ଆଇନ୍ ପ୍ରଣିତ ହୋଇଛି । ସେଥିପାଇଁ ଆନୁଷଙ୍ଗିକ କୋର୍ଟ ତଥା ବିଚାରପତି ନିଯୁକ୍ତି ପାଇଁ ସରକାର ଉଚ୍ଚ ନ୍ୟାୟାଳୟକୁ ଅନୁରୋଧ କରିବା ପରେ ଭଦ୍ରକ ସମେତ ରାଜ୍ୟରେ ୧୫ଗୋଟି ଜିଲ୍ଲାରେ ସ୍ୱତନ୍ତ୍ର ଫାଷ୍ଟ ଟ୍ରାକ କୋର୍ଟର ଶୁଭ ଉଦଘାଟନ ହୋଇଛି । ଏହି କୋର୍ଟରେ ଅବସରପ୍ରାପ୍ତ ଜିଲ୍ଲା ଜଜ୍ମାନଙ୍କୁ ବିଚାରପତି ଭାବେ ଅସ୍ଥାୟୀ ନିଯୁକ୍ତି ଦିଆଯାଇଛି । ଭଦ୍ରକରେ ମିନତି କୁମାରି ପଣ୍ଡାଙ୍କୁ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି । ବିଚାରଧିନ ବନ୍ଦି ଉପକୃତ ହେବେ । ଆଜିର ଏହି ଶୁଭ ଉଦଘାଟନ ଉତ୍ସବରେ ଭଦ୍ରକ ଜିଲ୍ଲା ଜଜ୍ ଶିଶିର କୁମାର ରଥ, ପରିବାର ଅଦାଲତ୍ ଜଜ୍ ବିକ୍ରମ କୁମାର ପ୍ରଧାନ, ଅତିରିକ୍ତ ଜିଲ୍ଲା ଜଜ୍ ପ୍ରଣତି ସାହା, ମୁଖ୍ୟ ବିଚାରପତି ବିଭାଗୀୟ ମାଜିଷ୍ଟ୍ରେଟ୍ ଦେବଦତ୍ତ ପଟ୍ଟନାୟକ, ବରିଷ୍ଟ ଦେୱାନି ଜଜ୍ ହିମାଂସୁ ଶେଖର ବିଶ୍ୱାଳ ଓ ଓକିଲ ସଂଘର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।





