ବଲାଙ୍ଗିର, (ବାଘୁଆବାର୍ତ୍ତା): ପୁଲିସ୍ ହିଟ୍ଲିଷ୍ଟରେ ଥିଲେ ୨ ହାର୍ଡକୋର ଡକାୟତ। ଉଭୟଙ୍କୁ ଧରିବାକୁ ପୁଲିସ୍ ନୟାନ୍ତ ହେଉଥିବା ବେଳେ ସେମାନେ କିନ୍ତୁ ଚକମା ଦେଇ ଖସି ପଳାଉଥିଲେ। ହେଲେ ସବୁଦିନ ସମାନ ଯାଏନି। ପୁଲିସ୍ ଧରିବା ଆଗରୁ ଧରାଇଦେଲା ଦୁର୍ଘଟଣା। ଦୁର୍ଘଟଣାର ଶିକାର ୨ ଗାଡ଼ି ଲୁଟେରାଙ୍କୁ ସ୍ଥାନୀୟ ଲୋକେ କାବୁ କରି ପୁଲିସ୍ ଜିମା ଦେଇଛନ୍ତି। ଏପରି ଘଟଣା ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ମୁକୁନ୍ଦପୁର ଛକରେ ଘଟିଛି। ଏହି ଦୁଇ ବାଇକ୍ ଲୁଟେରା ତୁଷୁରା ଥାନା ପାରକେଲ ଗାଁର ଜଣେ ବ୍ୟକ୍ତିଙ୍କ ବାଇକ୍ ଚୋରି କରି ଫେରାର ହୋଇ ଯାଉଥିଲେ। ଦ୍ରୁତ ଗତିରେ ଯାଉଥିବାରୁ ପୁଇଁନ୍ତଲା ଥାନା ମୁକୁନ୍ଦପୁର ଛକଠାରେ ଲୁଟେରାମାନେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯାଇଥିଲେ। ଆଖପାଖ ଅଞ୍ଚଳ ଲୋକ ରୁଣ୍ଡ ହୋଇ ଦୁଇଜଣଙ୍କୁ ଉଦ୍ଧାର କରିଥିଲେ । ମାତ୍ର ସେମାନଙ୍କ ନିକଟରେ ଅସ୍ତ୍ରଶସ୍ତ୍ର ଥିବାରୁ ଅପରାଧୀ ବୋଲି ସନ୍ଦେହ କରି ସେମାନଙ୍କୁ ବାନ୍ଧି ଦେଇଥିଲେ ସ୍ଥାନୀୟ ଲୋକେ । ପଚରାଉଚରା କରିବାରୁ ସେମାନେ ବାଇକ୍ ଲୁଟ୍ କରି ଫେରାର ହୋଇଯାଉଥିବା ଜଣାପଡ଼ିଥିଲା। ଉତ୍ତ୍ୟକ୍ତ ଗାଁ ଲୋକ ଉଭୟଙ୍କୁ ନିର୍ଧୂମ ଛେଚିଥିଲେ । ଖବର ପାଇ ପୁଇଁନ୍ତଲା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଦୁଇ ଚୋରଙ୍କୁ ଉଦ୍ଧାର ଜରିବା ସହ ଥାନାରେ ଅଟକ ରଖିଛି । ଦୁଇଜଣଙ୍କ ନାଁରେ ବିଭିନ୍ନ ଥାନାରେ ବହୁ ସଂଗୀନ ମାମଲା ଥିବା ଜଣାପଡିଛି । ଉଭୟଙ୍କ ଘର ସଇଁନ୍ତଲା ଥାନା ବରମୁଡ଼ ଗାଁରେ । ପୁଲିସ ସେମାନଙ୍କଠାରୁ ଅଧିକ ତଥ୍ୟ ହାସଲ କରିବା ପାଇଁ ଉଦ୍ୟମ ଜାରି ରଖିଛି।





