ବଡବିଲ, (ବାଘୁଆବାର୍ତ୍ତା): ରେଳ ଷ୍ଟେସନ ପ୍ଲାଟଫର୍ମରୁ ଆଜି ଜଣେ ଅଚିହ୍ନା ବ୍ୟକ୍ତିଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇଛି । ଉକ୍ତ ବ୍ୟକ୍ତିକୁ ସ୍ଥାନୀୟ ହସ୍ପିଟାଲକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବ୍ୟକ୍ତି ମୁଣ୍ଡରେ ଗଭୀର କ୍ଷତ ଥିବା ଯୋଗୁଁ ଘଟଣା ସଂପର୍କରେ ପୁଲିସ୍ ତନଘନା ଆରମ୍ଭ କରିଛି । ସୂଚନାନୁସାରେ, ଯୋଡା ବାଂଶପାଣି ରେଳ ଷ୍ଟେସନ ପ୍ଲାଟଫର୍ମରେ ଜଣେ ବ୍ୟକ୍ତିଙ୍କର ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡି ରହିଥିଲା । ଷ୍ଟେସନ୍ ଡ୍ୟୁଟିରେ ଥିବା ଆରପିଏଫ୍ ଜବାନ୍ ଏହା ଦେଖି ଷ୍ଟେସନ ମ୍ୟାନେଜରଙ୍କୁ ଅବଗତ କରାଇବା ସହ ଏକ ଆମ୍ବୁଲାନ୍ସ ମାଧ୍ୟରେ ଯୋଡା ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ହସ୍ପିଟାଲ ପହଞ୍ଚିଲା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ସଂପର୍କରେ ଯୋଡା ପୁଲିସକୁ ଖବର ଦିଆଯିବା ପରେ ତଦନ୍ତ ଆରମ୍ଭ ହୋଇଛି । ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଥିବା ବେଳେ ବ୍ୟକ୍ତି ଜଣକ କିଏ ଏବଂ କାହିଁକି ତାଙ୍କୁ ଆକ୍ରମଣ କରାଯାଇଛି ଏବଂ କେମିତି ମୃତ୍ୟୁ ଘଟିଲା ତାହାର ତଦନ୍ତ ଆରମ୍ଭ କରୁଛି ଯୋଡା ପୁଲିସ୍ ।





