ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରାଜ୍ୟରେ ସଂକ୍ରମଣ ତଳମୁହାଁ ହୋଇଛି। ହେଲେ ଆଗାମୀ ଦିନରେ କରୋନାର ତୃତୀୟ ଲହର ଆସିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ଦୁଇରୁ ତିନି ମାସ ପର୍ୟ୍ୟନ୍ତ କଲେଜ ଓ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ୍ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲି ନପାରେ। ସେହିପରି କ୍ଲାସରୁମ୍ ପାଠପଢ଼ା ଓ ଲିଖିତ ଭାବେ ପୂର୍ବଭଳି ପରୀକ୍ଷା ଆୟୋଜନର ସମ୍ଭାବନା ନାହିଁ ବୋଲି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର କହିଛନ୍ତି। ତେଣୁ ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡିକୁ ଆଗାମୀ ଦିନରେ ଅନଲାଇନ୍ ପରୀକ୍ଷା କରିବାକୁ କୁହାଯାଇଛି। ଅନଲାଇନ୍ ପାଠପଢ଼ା ମଧ୍ୟ ଜାରି ରହିବ। ତେବେ କେତେ ସଂଖ୍ୟକ ଛାତ୍ରଛାତ୍ରୀ ପାଇଁ କେଉଁ ଅଧ୍ୟାପକ ମେଣ୍ଟର୍ ରହିବେ ତାହା ବିଶ୍ୱବିଦ୍ୟାଳୟ ଓ କଲେଜ କର୍ତ୍ତୃପକ୍ଷ ୱେବସାଇଟ୍ରେ ଅପଲୋଡ୍ କରିବେ। ଏପରିକି ମେଣ୍ଟର୍ ଅଧ୍ୟାପକଙ୍କ ନମ୍ବର କଲେଜ ଓ ବିଶ୍ୱବିଦ୍ୟାଳୟ ୱେବସାଇଟ୍ରେ ରହିବ। ଯାହା ବୁଧବାର ସୁଦ୍ଧା ଦାଖଲ କରିବାକୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ଶ୍ରୀ ମିଶ୍ର କହିଛନ୍ତି । ଅପରପକ୍ଷରେ ଗତକାଲି ଜାରି ହୋଇଥିବା ନିର୍ଦ୍ଦେଶରେ ଆଜି ସାମାନ୍ୟ ପରିବର୍ତ୍ତନ କରାଯାଇଛି। ୱେବସାଇଟ୍ରେ ଛାତ୍ରଛାତ୍ରୀଙ୍କ ମୋବାଇଲ୍ ନମ୍ବର କିମ୍ବା ଯୋଗାଯୋଗ ନମ୍ବର ଦିଆଯିବ ନାହିଁ ବୋଲି ସେ ଆଜି ପୁଣି ବିଶ୍ୱବିଦ୍ୟାଳୟର କୁଳପତି ଓ ଡିଗ୍ରୀ କଲେଜଗୁଡିକର ଅଧ୍ୟକ୍ଷମାନଙ୍କୁ ଚିଠି ଲେଖିଛନ୍ତି।






