ଆଠମଲ୍ଲିକ, (ବାଘୁଆବାର୍ତ୍ତା): ଦୀର୍ଘ ୩ ବର୍ଷ ପରେ ଜରପଡା ପୁଲିସ ଏକ ହତ୍ୟାକାଣ୍ଡ ପର୍ଦାଫାସ କରିବା ସହ ଅଭିଯୁକ୍ତ ମାନଙ୍କୁ ଧରିବାର ସଫଳତା ମିଳିଛି । ହତ୍ୟା ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ। ଅନୁଗୁଳ ଜିଲ୍ଲା ଜରପଡା ଥାନା ଅନୁଗୁଳ-ଜରପଡା ୫୫ନଂ ଜାତୀୟ ରାଜପଥ ପାର୍ଶ୍ଵର କତଡା ଠାରେ ଥିବା କ୍ଳାସିକ ଢ଼ାବା ସମ୍ମୁଖରେ ୨୦୧୮ ମସିହା ଜୁନ ୨୨ ତାରିଖ ରାତ୍ରୀରେ ପାଣି ଟ୍ୟାଙ୍କର କ୍ୟାବିନ ଭିତରେ ଚାଳକଙ୍କ ମୃତଦେହ ମିଳିଥିଲା । ଘଟଣାର ୩ ବର୍ଷ ପରେ ଜରପଡା ପୁଲିସ ହତ୍ୟାରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ତେବେ ଏବେ ମଧ୍ୟ ଜଣେ ଫେରାର ଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ବନ୍ତଳା ଥାନା ଅନ୍ତର୍ଗତ ପୋକତୁଙ୍ଗା ଗ୍ରାମର ସୌଭାଗ୍ୟ ରଞ୍ଜନ ସାହୁ , ଠାକୁରଗଡ ଥାନା ଅନ୍ତର୍ଗତ ବରପାଲି ଗ୍ରାମର ବିକାଶ ନାୟକ ଓ ଜରପଡା ଥାନା ଅନ୍ତର୍ଗତ ବଡହିଁସର ଗ୍ରାମର ପୁରୁଷୋତମ ସାହୁ ଓ ଫେରାର ଥିବା ଅଭିଯୁକ୍ତ ଜରପଡା ଥାନା ଅନ୍ତର୍ଗତ ବହହିଁସର ଗ୍ରାମର ବୈକୁଣ୍ଠ ସାହୁ ବୋଲି ପୁଲିସ ସୂଚନା ଦେଇଛି । ପୋଲିସ ସାଇଣ୍ଟିଫିକ ରିପୋର୍ଟ , ପାରିପାର୍ଶ୍ଵିକ ସ୍ଥିତିକୁ ନେଇ ପୋଲିସ ଘଟଣାର ତଦନ୍ତ କରିଥିଲା । ଏହି ତଦନ୍ତ ବେଳେ ପୋଲିସ ଢାବାର କର୍ମଚାରୀ ମାନଙ୍କର ହାତ ଥିବା ନେଇ ଜଣା ପଡିଥିଲା । ଏହାପରେ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ଢାବାର ତିନିଜଣ କର୍ମଚାରୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା ।





