ବୋରିଗୁମ୍ମା, (ବାଘୁଆବାର୍ତ୍ତା): ବିବାହିତା ମହିଳାଙ୍କ ଝୁଲନ୍ତା ମୃତ ଦେହ ଘର ଭିତରୁ ଉଦ୍ଧାର କରାଯାଇଛି । ସେପଟେ ମୃତ ମହିଳାଙ୍କ ବାପା ତାଙ୍କ ଝିଅକୁ ହତ୍ୟା କରିଥିବା ଅଭିଯୋଗ କରିଥିବାରୁ ପୁଲିସ୍ ସ୍ୱାମୀକୁ ଗିରଫ୍ କରିଥିବା ଜଣାପଡିଛି । ଏଭଳି ଘଟଣା ଘଟିଛି ବୋରିଗୁମ୍ମା ଅଞ୍ଚଳରେ । ସୂଚନାନୁସାରେ, ଚନ୍ଦ୍ର ହନ୍ତାଳଙ୍କ ଝିଅ ଉଷାବତୀ ତନ୍ତିକୁ ରଣସପୁର ଗ୍ରାମର ନିରନ ତନ୍ତଙ୍କ ସହ ବାବାଘର କରିଥିଲେ । ବାହାଘରର ୯ବର୍ଷ ବିତିଯାଇଥିଲେ ମଧ୍ୟ ସେମାନଙ୍କର କୌଣସି ସନ୍ତାନ ହୋଇନଥିଲା । ଯାହାଫଳରେ ଅଧିକାଂଶ ସମୟରେ ସ୍ୱାମୀ ନିରନ ଝିଅକୁ ଉଷାବତୀକୁ ନିର୍ଯ୍ୟାତନା ଦେଇ ଆସୁଥିଲେ । ହେଲେ ବି ଝିଅ ଉଷାବତୀ ସ୍ୱାମୀ ପାଖରେ ରହିଥିଲେ । ୨୩ତାରିଖ ଦିନ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଭୀଷଣ କଳହ ହୋଇଥିବା ନେଇ ଝିଅ ଫୋନ କରି ବାପା ଚନ୍ଦ୍ର ହନ୍ତାଳଙ୍କୁ କହିଥିଲେ । କାଲି କଳହ ଲାଗିଥିଲେ ଆଜି ଝିଅର ଝୁଲନ୍ତା ଅବସ୍ଥାରେ ମୃତ ଦେଖିବାକୁ ମିଳିଛି । ଏହାକୁ ସହଜରେ ବାପା ଗ୍ରହଣ କରିନଥିବା ବେଳେ ତାଙ୍କ ଝିଅ ଉଷାବତୀକୁ ହତ୍ୟା କରାଯାଇଛି ବୋଲି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ପୁଲିସ୍ ପକ୍ଷରୁ ଥାନାରେ ଏକ ମାମଲା ରୁଜୁକରି ମୃତ ମହିଳାଙ୍କ ସ୍ୱାମୀ ନିରନ ତନ୍ତିକୁ ଗିରଫ କରିଛି ପୁଲିସ୍ ।





