ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ ନୂଆଗାଁ ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ତଥା ସଙ୍ଗୀନ ଘଟଣା ସାମନାକୁ ଆସିଛି । ଜଣେ ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ ହୋଇଥିବା ବେଳେ ପୁଲିସ ଅଭିଯୋଗକାରୀ ବଦଳରେ ଅଭିଯୁକ୍ତକୁ ସାହାର୍ଯ୍ୟ କରିଥିବା ଅଭିଯୋଗ ହୋଇଛି । ଏନେଇ ପୀଡ଼ିତା ପରିବାର ଆଜି ଏସପିଙ୍କୁ ଫେରାଦ ହୋଇଥିବା ଜଣାଯାଇଛି । ସୂଚନାନୁସାରେ, ନୂଆଗାଁ ଥାନା ମହୀପୁର ଫାଣ୍ଡି ଅନ୍ତର୍ଗତ କୃଷ୍ଣଚନ୍ଦ୍ରପୁର ଗାଁର ଜେସିବି ମାଲିକ ବିଦ୍ୟାଧର ସାହୁଙ୍କ ଡ୍ରାଇଭର ଗଣେଶ ଦାଶ ଉକ୍ତ ଗାଁର ଜଣେ ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଗତ ୯ ତାରିଖ ରାତିରେ ନାବାଳିକା ବାହାରକୁ ଯାଇଥିବା ବେଳେ ଗଣେଶ ତାକୁ ଉଠାଇ ନେଇ ବିଦ୍ୟାଧରଙ୍କ ଘରେ ଓ ପରେ ଦଶପଲ୍ଲା ତୁମାଣ୍ଡି ନିଜ ଗ୍ରାମରେ ରଖି ଦୁଷ୍କର୍ମ କରିଥିଲା । ଏନେଇ ପରିବାର ପୁଲିସରେ ଅଭିଯୋଗ କରିବା ପରେ ପୁଲିସ ନାବାଳିକାକୁ ଉଦ୍ଧାର କରିଥିଲା । ମାତ୍ର ଏହି ଘଟଣାର ଅଭିଯୁକ୍ତ ଗଣେଶ ଏବଂ ବିଦ୍ୟାଧରଙ୍କୁ ସହଯୋଗ କରିବାକୁ ଯାଇ ପୁଲିସ ଅଭିଯୋଗକାରୀକୁ ଥାନାରେ ୫ ଘଣ୍ଟା ଅଟକ ରଖିଥିଲା । ଆଜି ପୀଡ଼ିତା ପରିବାର ନୟାଗଡ଼ ଏସ୍ପି ସିଦ୍ଧାର୍ଥ କାଟରିଆଙ୍କୁ ଭେଟିଥିବା ସୂଚନା ଦେଇଛନ୍ତି ।






