ଝାରସୁଗୁଡା, (ବାଘୁଆବାର୍ତ୍ତା): ପାଠପଢ଼ା ମାତ୍ର ନବମ ପାସ । ସାଇବର ଠକେଇରେ ଧୁରନ୍ଧର । ନୂଆ ନୂଆ ତରିକା ଆପଣାଇ କରୁଥିଲା ଠକେଇ । ଶେଷରେ ଡାକ୍ତରଙ୍କୁ ଚୁନ ମାରିବାକୁ ବସିଥିଲା । ପୁଲିସ ହାବୁଡେ ପଡି ବନ୍ଧା ହେଲା । ଫେସବୁକ ହ୍ୟାକ୍ କରି ମେସେଞ୍ଜରରେ ମେସେଜ କରି ଟଙ୍କା ମାଗିବା ହେଉ ତ କେତେବେଳେ ଅନ୍ୟ କୌଣସି ଉପାୟରେ ଲୋକଙ୍କୁ ଠକିବାରେ ଓସ୍ତାଦ ପାଲଟିଲେଣି ଠକ । ଏଥର କିନ୍ତୁ ଭିନ୍ନ ଉପାୟରେ ଠକି ଝାରସୁଗୁଡା ପୋଲିସ ହାତରେ ଧରାପଡିଲା ମାଷ୍ଟରମାଇଣ୍ଡ । ମାତ୍ର ନବମ ଶ୍ରେଣୀ ପାସ୍ କରି ଠକେଇ ପାଇଁ ଆସୁଥିବା ଏକ ମୋବାଇଲ ଆପ୍ସ୍ ଜରିଆରେ ସାଧାରଣ ଲୋକଙ୍କୁ ଠକୁଥିଲେ । ମୋବାଇଲ ନମ୍ବରକୁ ଟ୍ରୁ କଲରରେ ଠାବ କରି ସେମାନଙ୍କ ନିକଟକୁ ଟଙ୍କା ପଠାଇଥିବା ଠକେଇ ସମ୍ବଦ୍ଧୀୟ ଫଲ୍ସ୍ ମେସେଜ ପଠାଇବା ପରେ ଟେଲିଫୋନ୍ ମାଧ୍ୟମରେ ଫୋନ୍ କରି ଟଙ୍କା ଫେରାଇବାକୁ ଅନୁରୋଧ କରୁଥିଲେ । ଏହିଭଳି ରାଜ୍ୟ ସାରା ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ସୋରଡା ଅଞ୍ଚଳର ଯୁବକ ସୁନୀଲ ରାଉତରୟ ଏବେ ଝାରସୁଗୁଡା ପୋଲିସ ପଞ୍ଝାରେ । ଝାରସୁଗୁଡାର ଜଣେ ପ୍ରତିଷ୍ଠିତ ଡାକ୍ତର ଦେଓଶ୍ଲୋକ ଶର୍ମାଙ୍କୁ ଏହିଭଳି ଉପାୟରେ ଗତ ମେ ମାସରେ ୧୦ ହଜାର ଟଙ୍କା ସୁନୀଲ ଠକି ନେଇଥିଲା । ସୁନୀଲଠାରୁ ଠକେଇର ଶିକାର ହୋଇଥିବା ଜାଣିବା ପରେ ଡାକ୍ତର ଶର୍ମା ଝାରସୁଗୁଡା ଥାନାରେ ଏତଲା ଦେଇଥିଲେ । ପୋଲିସ ଏହି ମାମଲାର ତଦନ୍ତ କରି ସୁନୀଲ ରାଉତରାୟକୁ ଗିରଫ କରି ତା ନିକଟରୁ ୨୮ଟି ମୋବାଇଲ୍ ସିମକାର୍ଡ, ୧୧ଟି ମୋବାଇଲ ଫୋନ୍, ୧୫ଟି ଭିନ୍ନ ଭିନ୍ନ ବ୍ୟାଙ୍କର ଏଟିଏମ୍ କାର୍ଡ, ୩ଟି ପାସବୁକ ଜବତ କରିଛି । ଏହି ରାକେଟରେ ଅନ୍ୟ କାହାରି ସଂପୃକ୍ତିକୁ ଅଭିଯୁକ୍ତ ଅସ୍ବୀକାର କରୁଥିଲେ ମଧ୍ୟ ପୋଲିସ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରିବ ବୋଲି ଏସପି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଅପରପକ୍ଷରେ ଗତ ଦୁଇ ବର୍ଷ ତଳୁ ଏହି ବ୍ୟବସାୟ କରି ବହୁ ଲୋକଙ୍କୁ କିଭଳି ଠକୁ ଥିଲା ସୁନୀଲ ତାହା ବଖାଣିଛି ।






