ନୂଆଦିଲ୍ଲ, (ବାଘୁଆବାର୍ତ୍ତା): ବାୟୋହ୍ୟାକର୍ ବ୍ରାୟନ ଜନ୍ସନ୍ ଏଭଳି ଏକ ମିସନ୍ରେ ଅଛନ୍ତି, ଯାହା ସାହାଯ୍ୟରେ ମନୁଷ୍ୟ ମସ୍ତିଷ୍କକୁ ସିଧା କୃତ୍ରିମ ବୁଦ୍ଧିମତା ସହ ସଂଯୁକ୍ତ କରାଯାଇପାରିବ । ଏହି ଯାତ୍ରାର ଶୁଭାରମ୍ଭ ହୋଇସାରିଛି । ୫୦ ହଜାର ଡଲାର ଅର୍ଥାତ ପ୍ରାୟ ୩୭ ଲକ୍ଷ ଟଙ୍କା ମୂଲ୍ୟର ହେଲ୍ମେଟ୍ ମସ୍ତିଷ୍କର କାର୍ୟ୍ୟକଳାପକୁ ଅଗଣିତ ସମୟ ପାଇଁ ପଢ଼ିପାରିବ ବୋଲି ସେ କହିଛନ୍ତି । ଜନ୍ସନ୍ଙ୍କ ମାଇଣ୍ଡ ରିଡିଙ୍ଗ ଷ୍ଟାର୍ଟଅପ୍ କମ୍ପାନି କର୍ନେଲ ଦ୍ୱାରା ପ୍ରୟୋଗ ହେଉଥିବା ଟେକ୍ନୋଲୋଜି ଚିକିତ୍ସା ଅନୁସନ୍ଧାନ ମେସିନ୍ରେ ପୂର୍ବରୁ ଉପଲବ୍ଧ ହେଉଛି । ଅଧ୍ୟୟନ ଲାଗି ଜନ୍ସନ୍ ଏକ ହାଲୁକା ହେଲ୍ମେଟ୍ ପ୍ରସ୍ତୁତ କରିଛନ୍ତି, ଯାହା ମସ୍ତିଷ୍କର ସକ୍ରିୟତା ବିଷୟରେ ସୂଚନା ଦେବ । ଅଧ୍ୟୟନର ପ୍ରାଥମିକ ପର୍ୟ୍ୟାୟରେ ଜନ୍ସନ୍ ସ୍ପେସ୍ଏକ୍ସର ମାଲିକ ଏଲନ୍ ମସ୍କଙ୍କ ସହ ମଧ୍ୟ ଚର୍ଚ୍ଚା କରିଥିଲେ । ସିଧାସଳଖ ମାନବ ମସ୍ତିଷ୍କରେ ଇଲେକ୍ଟ୍ରୋଡ୍କୁ ଇମ୍ପ୍ଲାଟ୍ କରିବା ଜନ୍ସନ୍ଙ୍କ ନ୍ୟୁରାଲିଙ୍କ ପ୍ରୋଜେକ୍ଟର ଉଦ୍ଦେଶ୍ୟ । କିନ୍ତୁ ଜନ୍ସନ୍ ଦୁଇଟି ହେଲ୍ମେଟ୍ରେ ପରୀକ୍ଷା କରିଛନ୍ତି । ପ୍ରଥମର କୋଡ୍ନେମ୍ ଫ୍ଲୋ ଓ ଅନ୍ୟଟିର ଫ୍ଲକ୍ସ । ଫ୍ଲୋ ହେଲ୍ମେଟ୍ ମସ୍ତିଷ୍କ ଭିତରେ ରକ୍ତର ସଠିକ୍ ଅମ୍ଳଜାନକୁ ମାପିବା ପାଇଁ ଲେଜର୍ ଲାଇଟ୍ ଉପଯୋଗ କରେ । ଅନ୍ୟପଟେ, ଫ୍ଲକ୍ସ ନ୍ୟୁରନ୍ସ ଫାଇରିଙ୍ଗର ଇଲେକ୍ଟ୍ରିକାଲ ଇମ୍ପଲ୍ସକୁ ରେକର୍ଡ କରେ । ଏହି ପ୍ରୟୋଗ ଜରିଆରେ ମାନବ ମସ୍ତିଷ୍କ ଭିତରେ କ’ଣ ହେଉଛି, ତା’ର ସଠିକ୍ ଚିତ୍ର ଦେଖାଯାଇପାରିବ ବୋଲି ଜନ୍ସନ୍ ଦାବି କରିଛନ୍ତି । ତେବେ ବର୍ତ୍ତମାନ ପିଢ଼ି ପାଇଁ ତାଙ୍କର ଏହି ଟେକ୍ନୋଲୋଜି ଖୁବ୍ ମହଙ୍ଗା । କିନ୍ତୁ ୨୦୩୦ ବେଳକୁ ସେନ୍ସର ହେଲ୍ମେଟ୍ ପ୍ରସ୍ତୁତି ଶେଷ ହୋଇଯିବ ବୋଲି ସେ ଆଶା କରୁଛନ୍ତି । ଏହା ସ୍ମାର୍ଟଫୋନ୍ଠାରୁ ଅଧିକ ମହଙ୍ଗା ହେବନାହିଁ ବୋଲି ସେ କହିଛନ୍ତି ।





