ନୂଆଦିଲ୍ଲୀ,(ବାଘୁଆବାର୍ତ୍ତା) : ଭାରତରେ ତୃତୀୟ କୋଭିଡ୍ ପ୍ରବାହ ଅନିବାର୍ଯ୍ୟ ଏବଂ ଆଗାମୀ ୬ ରୁ ୮ ସପ୍ତାହ ମଧ୍ୟରେ ତାହା ଘଟିପାରେ ବୋଲି ଆଜି ଗଣମାଧ୍ୟମ ସହ ସାକ୍ଷାତ୍କାର ବେଳେ ‘ଏମ୍ସ୍’ ମୁଖ୍ୟ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି। ଦେଶର ମୁଖ୍ୟ ସମସ୍ୟା ହେଲା ଏତେ ସଂଖ୍ୟକ ଜନତାଙ୍କୁ ଟିକା ଦେବା। ତେଣୁ, ଅଧିକ ଲୋକଙ୍କୁ ସୁରକ୍ଷା ଦେବା ନିମନ୍ତେ ‘କୋଭିସିଲ୍ଡ୍’ ଡୋଜ୍ ମଧ୍ୟରେ ବ୍ୟବଧାନ ବୃଦ୍ଧି କରାଯିବା ମନ୍ଦ କଥା ନୁହେଁ। ସେ ଆହୁରି ମଧ୍ୟ କହିଛନ୍ତି, ଆମେ ‘ଅନ୍ଲକିଙ୍ଗ୍’ ଆରମ୍ଭ କରିଥିବାରୁ ‘କୋଭିଡ୍-ଯୋଗ୍ୟ ଆଚରଣ’ ଉଲ୍ଲଂଘନ ହେଉଛି। ପ୍ରଥମ ଓ ଦ୍ବିତୀୟ ସଂକ୍ରମଣ ପ୍ରବାହ ମଧ୍ୟରେ ଯାହା ଘଟିଲା ସେଥିରୁ ଆମେ କିଛି ଶିକ୍ଷାଲାଭ କରିଥିବା ପରି ମନେହୁଏ ନାହିଁ। ପୁଣି ଜନଗହଳି ହେଉଛି… ଲୋକେ ଏକତ୍ର ହେଉଛନ୍ତି। ଜାତୀୟସ୍ତରରେ ସଂକ୍ରମଣ ମାମଲା ବୃଦ୍ଧି ପାଇଁ କିଛି ସମୟ ଲାଗିବ। କିନ୍ତୁ, ଆଗାମୀ ୬ ରୁ ୮ ସପ୍ତାହ ମଧ୍ୟରେ ବା ଆଉ ଟିକେ ବିଳମ୍ବରେ ତୃତୀୟ ପ୍ରବାହ ଘଟିପାରେ। ସବୁ କଥା କୋଭିଡ୍-ଯୋଗ୍ୟ ଆଚରଣ ଏବଂ ଜନଗହଳି ପ୍ରତିହତ କରାଯିବା ଉପରେ ନିର୍ଭର କରୁଛି।






