ନୟାଗଡ଼,(ବାଘୁଆବାର୍ତ୍ତା) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆଜି ଭର୍ଚ୍ଚୁଆଲ ମୋଡରେ ନୟାଗଡ଼ ଜିଲ୍ଲାର ସ୍ୱାସ୍ଥ୍ୟ ବିକାଶ ପାଇଁ ବହୁ ଉନ୍ନୟନ ମୂଳକ କାର୍ଯ୍ୟ ଶୁଭାରମ୍ଭ ହୋଇଛି । ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ୬ ଶର୍ଯ୍ୟା ବିଶିଷ୍ଟ ଆଇସିୟୁ ବ୍ୟବସ୍ଥାକୁ ଉଦ୍ଘାଟନ କରିଛନ୍ତି । ଏଥିସହିତ ରଣପୁର ବ୍ଲକ ଚାନ୍ଦପୁରଠାରେ ଅବସ୍ଥିତ ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟଠାରେ ୬କେଏଲ ଲିକୁଇଡ ମେଡିକାଲ ଅସ୍କିଜେନ ସଂରକ୍ଷଣ ଓ ବଣ୍ଟନ ବ୍ୟବସ୍ଥାର ଶିଳାନ୍ୟାସ କରିଛନ୍ତି । ଏଥିସହିତ ଚାପ ଅବଶୋଷଣ ପ୍ରଣାଳୀରେ ୪୦୦ ଏଲପିଏମ୍ ମେଡିକାଲ ଅକ୍ସିଜେନ ଉତ୍ପାଦନ ଓ ବଣ୍ଟନ ବ୍ୟବସ୍ଥାର ଶିଳାନ୍ୟାସ କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁ, ନୟାଗଡ଼ ବିଧାୟକ ତଥା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, ରଣପୁର ବିଧାୟକ ତଥା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ସତ୍ୟନାରାୟଣ ପ୍ରଧାନ ଉପସ୍ଥିତି ରହିଥିଲେ । ଏହି ଅବସରରେ ମନ୍ତ୍ରୀ ଡ. ସାହୁ ଜିଲ୍ଲାବାସୀଙ୍କ ପକ୍ଷରୁ କୃତଜ୍ଞତା ଜ୍ଞାପନ କରିବା ସହ କୋଭିଡ ଯୋଗୁଁ ଗତ ଏକ ବର୍ଷରୁ ଉଦ୍ଧ୍ୱର୍ ସମୟ ଧରି ବିଶ୍ୱ କରୋନା ସହ ଲଢ଼େଇ କରୁଥିବା ବେଳେ ଓଡ଼ିଶା ସଫଳତାର ସହ ଭୂତାଣୁ ସହ ଲଢ଼େଇ କରିଛି ବୋଲି କହିଥିଲେ । ରାଜ୍ୟ ସରକାର ସ୍ୱାସ୍ଥ୍ୟସେବାକୁ ସର୍ବଦା ପ୍ରାଥମିକତା ପ୍ରଦାନ କରି ଆସିଛନ୍ତି । ପ୍ରତିଟି ଜୀବନ ମୁଲ୍ୟବାନ ନୀତିକୁ ଆଧାର କରି ଆମର କରୋନା ଲଢ଼େଇ ଜାରି ରହିଛି । ରାଜ୍ୟ ସରକାର ଆଗୁଆ ପଦକ୍ଷେପ ଯୋଗୁଁ କରୋନା ଦ୍ୱିତୀୟ ଲହରକୁ ମଧ୍ୟ ସଫଳତାର ସହ ମୁକାବିଲା କରାଯାଇଛି ବୋଲି କହିଛନ୍ତି । ଭାରତର ବିଭିନ୍ନ ରାଜ୍ୟରେ ମେଡିକାଲ ଅକ୍ସିଜେନ ଘୋର ଅଭାବ ଯୋଗୁଁ ଘୋର ସଙ୍ଗଟମୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ସମୟୋଚିତ ପଦକ୍ଷେପ ଯୋଗୁଁ ଆମ ରାଜ୍ୟରୁ ବିଭିନ୍ନ ରାଜ୍ୟକୁ ଅମ୍ଲଜାମ ଯୋଗାଣ କରାଯାଇ ବହୁ ମୁଲ୍ୟବାନ ଜୀବନ ବଞ୍ଚାଯାଇ ପାରିଛି । ସ୍ୱାସ୍ଥ୍ୟସେବାକୁ ସୃଦୃଢ଼ କରିବା ପାଇଁ ସରକାର ଅନେକ ପଦକ୍ଷେପ ନେଇଥିବା କହିଛନ୍ତି । ସାରା ଭାରତରେ ଥିବା ଓଡ଼ିଶାବାସୀ ଏଥିପାଇଁ ଗର୍ବତ ବୋଲି ମନ୍ତ୍ରୀ ଡ. ସାହୁ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରକଳ୍ପ ନିର୍ଦ୍ଦେଶକ ସୁବସ ଚନ୍ଦ୍ର ରାୟ, ବନଖଣ୍ଡ ଅଧିକାରୀ ଧନରାଜ ଏଚ୍.ଡି, ଉପଜିଲ୍ଲାପାଳ ଲଗ୍ନଜିତ ରାଉତ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଶକ୍ତି ପ୍ରସାଦ ମିଶ୍ର ପ୍ରମୂଖ ଉପସ୍ଥିତ ଥିଲେ ।





