ଓଡ଼ଗାଁ(ବାଘୁଆବାର୍ତ୍ତା): ଆଜି ଓଡଗାଁ ସରକାରୀ କଲ୍ୟାଣମଣ୍ଡପଠାରେ ବିଶିଷ୍ଟ ପରିବେଶବିତ୍ ତଥା ଜୈବିକ କୃଷିର ମାର୍ଗଦର୍ଶକ ଶିକ୍ଷାବିତ୍ ପଦ୍ମଶ୍ରୀ ସ୍ୱର୍ଗତ ପ୍ରଫେସର ରାଧାମୋହନଙ୍କ ଶ୍ରଦ୍ଧାଞ୍ଜଳି ସଭା କୋଭିଡ ମାର୍ଗଦର୍ଶିକା ଅନୁପାଳନ ପୂର୍ବକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ଉପସ୍ଥିତ ଗୁଣମୁଗ୍ଧମାନେ ପ୍ରଫେସର ରାଧାମୋହନଙ୍କ ତୈଳ ଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଆତ୍ମାର ସଦ୍ଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଶ୍ରୀରଘୁନାଥ ହସ କ୍ଳବର ସଭାପତି ବସନ୍ତ କୁମାର ମିଶ୍ର, ରଘୁନାଥ ସମବାୟ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ଼ଃ ଅଧିବାସ ପଣ୍ଡା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୌରହରି ସାହୁ, ଜିଲ୍ଲା ପରିଷଦ ସଭ୍ୟ ଲୋକନାଥ ସାହୁ, ବିଭୁପ୍ରସାଦ ସାହୁ, ପୂର୍ବତନ ବନଖଣ୍ଡ ଅଧିକାରୀ ସୁରେଶ ଚନ୍ଦ୍ର ହୋତା, ବିଜନ ପାଇକରାୟ, ଓଡଗାଁ ବ୍ଳକ ସଭାପତି ସୂର୍ୟ୍ୟନାରାୟଣ ଚୌଧୁରୀ, ପୂର୍ବତନ ସରପଞ୍ଚ ତଥା ରଘୁନାଥ ଆଥଲେଟିକ୍ ଆସୋସିଏସନର ସମ୍ପାଦକ ଦିବାକର ନାୟକ, ବରିଷ୍ଠ ସାମ୍ବାଦିକ ଅଶୋକ କୁମାର ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ସାହୁ, ବନମାଳୀ ଦାଶ, ଭାବଗ୍ରାହୀ ମହାପାତ୍ର, କାହ୍ନୁଚରଣ ଦାଶ, ପଞ୍ଚାନନ ପଣ୍ଡା, ରଞ୍ଜନ କୁମାର ଦାଶ ପ୍ରମୁଖ ବ୍ୟକ୍ତି ବିଶେଷ ମାନେ ସ୍ମୁତିଚାରଣ କରିଥିଲେ। ଶିକ୍ଷକ ନିରଞ୍ଜନ ସାହୁ ଏକ କବିତା ପାଠ କରିଥିଲେ। ରଙ୍ଗଣିପାଟଣା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ମଧ୍ୟ ବିଶ୍ୱସ୍ତରରେ ଖ୍ୟାତି ଅର୍ଜନ କରି ପଦ୍ମଶ୍ରୀ ଉପାଧିରେ ଭୂଷିତ ହୋଇଥିଲେ। ଓଡ଼ଗାଁ ମାଟି ଆଜି ଜଣେ ଗାନ୍ଧୀବାଦୀ ବ୍ୟକ୍ତିତ୍ୱକୁ ହରାଇଛି । ପରିବେଶସୁରକ୍ଷା ଏବଂ ସଂରକ୍ଷଣ ଦିଗରେ ପ୍ରଫେସର ରାଧାମୋହନଙ୍କ କାର୍ୟ୍ୟ ବେଶ ପ୍ରଶଂସନୀୟ । ଜଣେ ଖ୍ୟାତିସମ୍ପନ୍ନ ଅର୍ଥଶାସ୍ତ୍ରୀ, ମାଟିରେ ନିମଗ୍ନ ହୋଇ ମାଟିରେ ହିଁ ସୁନା ଫଳାଇପାରୁଥିଲେ। ତାଙ୍କରି ବିୟୋଗରେ ସାମାଜିକ ବିପ୍ଲବ କ୍ଷେତ୍ରରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ବୋଲି ଶ୍ରଦ୍ଧାଞ୍ଜଳି ସଭାରେ ଉପସ୍ଥିତ ବ୍ୟକ୍ତିବିଶେଷ ନିଜର ମତବ୍ୟକ୍ତ କରିଥିଲେ।ଆଜି ଏ ଅଞ୍ଚଳ ତଥା ଓଡିଶା ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ହରାଇଥିବାରୁ ସଭିଏଁ ଶୋକବ୍ୟକ୍ତ କରିଥିଲେ।





