ନବରଙ୍ଗପୁର, (ବାଘୁଆବାର୍ତ୍ତା) : ଓଡ଼ିଶା ରାଜସ୍ୱ ଅମଲା ସଙ୍ଘ ରାଜ୍ୟ ସଭାପତି ତ୍ରିପତି ବାଲାଜୀ ସାହୁଙ୍କ ଅଧ୍ୟକ୍ଷତାରେ ସଂଘର ରାଜ୍ୟ କାର୍ୟ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଚୁକ୍ତିଭିତ୍ତିକ ନିଯୁକ୍ତିକୁ ନେଇ ଉଦବେଗ ପ୍ରକାଶ ପାଇଥିଲା । ଚୁକ୍ତିଭିତ୍ତିକ ରାଜ୍ୟ ସରକାରୀ କର୍ମଚାରୀ ନିୟମିତ ସରକାରୀ କର୍ମଚାରୀଙ୍କ ଭଳି ସମାନ ଦାଇତ୍ୱ ସମାନ କାମ କରିଥାନ୍ତି । ସରକାର ଛଅ ବର୍ଷ ପର୍ୟ୍ୟନ୍ତ କମ ଦରମା ଦେଇ ଛଅ ବର୍ଷ ପରେ ରେଗୁଲାର କର୍ମଚାରୀର ମାନ୍ୟତା ଦେଇଥାନ୍ତି। ରାଜ୍ୟ ସରକାରଙ୍କ ସମସ୍ତ ସ୍ୱଳ୍ପ ବେତନ ଭୋଗୀ କର୍ମଚାରୀଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ, ସମାନ କାମକୁ ସମାନ ଦରମା ନ୍ୟାୟରେ ଚୁକ୍ତିଭିତ୍ତିକ ନିଯୁକ୍ତି ନିୟମ ପ୍ରତ୍ୟାହାର କରି ନିୟମିତ ନିଯୁକ୍ତି ଦେବା ନିମନ୍ତେ, ସରକାରଙ୍କ ନିକଟରେ ଦାବି ରଖିବା ପାଇଁ ଉକ୍ତ ବୈଠକରେ ନିଷ୍ପତ୍ତି ନିଆଗଲା। ରାଜସ୍ୱ ଅମଲା ମାନେ ବିଭିନ୍ନ ସମୟରେ ଅନୁକୂଳ ପରିସ୍ଥିତିରେ ବିଭିନ୍ନ ଦପ୍ତରରେ କାମ କରିଥାନ୍ତି । କେନ୍ଦ୍ର ସରକାରଙ୍କ ନିର୍ବାଚନ ହେଉ ଅବା ଜନଗଣନା କିମ୍ବା ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ୟ୍ୟ, ରାଜ୍ୟ ସରକାରଙ୍କ ବତୀଶ ଗୋଟି ବିଭାଗରେ କାର୍ୟ୍ୟ କରିଥାନ୍ତି। ବନ୍ୟା, ବାତ୍ୟା ହେଉ କିମ୍ବା ଯେକୌଣସି ପ୍ରକାରର ପ୍ରାକୃତିକ ବିପର୍ୟ୍ୟୟ ସମୟରେ ନିଜ ଜୀବନକୁ ଭୁକ୍ଷେପ ନ କରି ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିବା ପାଇଁ ବାହାରକୁ ଆସିଥାନ୍ତି, ଯେଉଁ ସମୟରେ କି ଲୋକେ ବାହାରକୁ ବାହାରିବା ପାଇଁ ସମ୍ଭବ ହେଉ ନ ଥାଏ। ସେଥିପାଇଁ ଓଡ଼ିଶାର ରାଜସ୍ୱ ଅମଲା ମାନଙ୍କୁ ସ୍ୱତନ୍ତ୍ର ପ୍ୟାହା ର ମାନ୍ୟତା ପ୍ରଦାନ ପାଇଁ, ସରକାରଙ୍କ ନିକଟରେ ପୁନଶ୍ଚ ଦାବି ରଖିବା ନିମନ୍ତେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଗଲା। କୋଭିଡ – ୧୯ ସମୟରେ ସାରା ରାଷ୍ଟ୍ରର ଜନସାଧାରଣ ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିଥିବା ସମୟରେ ରାଜସ୍ୱ ଅମଲା କର୍ମଚାରୀମାନେ ନିଜ ଜୀବନକୁ ଖାତିରି ନକରି ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିଥିଲେ । ଓଡ଼ିଶାର ଷାଠିଏରୁ ଅଧିକ ରାଜସ୍ୱ ଅମଲା ସରକାରୀ କାର୍ୟ୍ୟ ସମ୍ପାଦନା ସମୟରେ କରୋନା ସଂକ୍ରମଣରେ ସଂକ୍ରମିତ ହୋଇ ପ୍ରାଣ ତ୍ୟାଗ କରି ସାରିଛନ୍ତି। ରାଜସ୍ୱ ଅମଲାମାନଙ୍କୁ ପ୍ରମୁଖ ସମ୍ମୁଖ ଯୋଦ୍ଧା ଭାବେ ଘୋଷଣା କରିବା ସହିତ ସରକାରଙ୍କ ଦ୍ୱାରା ଘୋଷିତ ଅନୁକମ୍ପାମୂଳକ ରାଶି ପ୍ରଦାନ କରିବା ଏବଂ ପରିବାରର ଜଣକୁ ସରକାରୀ ଚାକିରି ଦେବା ପାଇଁ ଦାବି କରାଯିବ ବୋଲି ନିଷ୍ପତ୍ତି ହୋଇଛି । ଉକ୍ତ ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ସଂଘର ରାଜ୍ୟ ସାଧାରଣ ସମ୍ପାଦକ ନରେଶ ଚନ୍ଦ୍ର ମହାପାତ୍ର, ପ୍ରସନ୍ନ କୁମାର ନାୟକ,ରାୟଗଡା ଜିଲ୍ଲା ସଭାପତି ମନୋଜ କୁମାର ରଥ, ସମ୍ପାଦକ ମୁରଲୀ ମୋହନ ପଣ୍ଡା, ଅନିତା ଦାସ, କୋରାପୁଟ ଜିଲ୍ଲା ସଭାପତି ମନୋଜ କୁମାର ବାରିକ, ସମ୍ପାଦକ ନିତ୍ୟାନନ୍ଦ ଭତ୍ରା, ମାଲକାନଗିରି ଜିଲ୍ଲା ସଭାପତି ବସନ୍ତ କୁମାର ପଣ୍ଡା, ସମ୍ପାଦକ ଶଶୀ ଭୂଷଣ ସେଠିଙ୍କ ସହିତ ସମସ୍ତ ଜିଲ୍ଲାର ସଭାପତି, ସମ୍ପାଦକ, ରାଜ୍ୟକାର୍ୟ୍ୟକାରୀ ସଭ୍ୟ, ରାଜ୍ୟ କର୍ମକର୍ତ୍ତା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।





