ଭୁବନେଶ୍ବର, (ବାଘୁଆବାର୍ତ୍ତା) : ଲକ୍ଷ ଲକ୍ଷ ଘର ଉଜାଡ଼ି ଦେଇଛି ମହାମାରୀ କରୋନା। କେଉଁଠି ବାପା-ମା ନିଜର ଭେଣ୍ଡା ପୁଅକୁ ହରାଉଛନ୍ତି ତ ଆଉ କେଉଁଠି ପିଲାମାନେ ବାପା-ମା’ଙ୍କୁ ହରାଇ ଅନାଥ ହୋଇ ଯାଉଛନ୍ତି। ଯେଉଁ ପିଲାମାନେ ନିଜର ପିତାମାତାଙ୍କୁ ହରାଇ ଅନାଥ ହୋଇଛନ୍ତି ସେମାନଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ରାଜ୍ୟରେ ଅନାଥ ଶିଶୁଙ୍କୁ ମିଳିବ ଅଗ୍ରୀମ ସହାୟତା। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି । ଶନିବାର ସୁଧା ୩୫ ଜଣ ଅନାଥ ଶିଶୁ ଚିହ୍ନଟ ହୋଇଛନ୍ତି। ସେମାନଙ୍କୁ ମଧୁବାବୁ ପେନସନ ଯୋଜନା ଅଧୀନରେ ୫୦୦ ଟଙ୍କା ଭତ୍ତା ଦିଆଯିବ। ଜୁନ, ଜୁଲାଇ ଓ ଅଗଷ୍ଟ ପାଇଁ ଏହା ଅଗ୍ରୀମ ଭାବେ ମିଳିବ। ଘର ଘର ଯାଇ ଅନାଥ ଶିଶୁଙ୍କୁ ଏହି ଭତ୍ତା ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଉପଦେଷ୍ଟା ସୁଲତା ଦେଓ କହିଛନ୍ତି ଯେ, କୋଭିଡରେ ଅନାଥ ହୋଇଥିବା ଶିଶୁଙ୍କୁ ଗ୍ରୀନ୍ ପାସେଜ୍ ଯୋଜନାରେ ସାମିଲ କରାଯିବ। ବର୍ତ୍ତମାନ ଅନାଥ ଶିଶୁଙ୍କୁ ୨ ହଜାର ଟଙ୍କା ଭତ୍ତା ମିଳୁଛି। କୋଭିଡରେ ଅନାଥ ହୋଇଥିବା ଶିଶୁଙ୍କ ପାଇଁ ଯୋଜନା କରାଯିବ। ସେମାନଙ୍କୁ ବୈଷୟିକ ଶିକ୍ଷା ଯଥା ମେଡିକାଲ ଓ ଇଂଜିନିୟରିଂ ପାଠ ଖର୍ଚ୍ଚ ବି ବହନ କରିବେ ରାଜ୍ୟ ସରକାର। ଏପରିକି ଯଦି ଘରୋଇ ଶିକ୍ଷାନୁଷ୍ଠାନରେ ପଢୁଥିଲେ, ସମ୍ପୃକ୍ତ ଶିକ୍ଷାନୁଷ୍ଠାନକୁ ସମସ୍ତ ଖର୍ଚ୍ଚ ଦିଆଯିବ।






