ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ମହାମାରୀ କରୋନା ସମୟରେ ରୋଗୀଙ୍କ ଚିକିତ୍ସା ଚାଲିଥିବା ବେଳେ ହଠାତ୍ ହେଲା ବୋମା ମାଡ଼ । ଚାହୁଁ ଚାହୁଁ ଲଗାତର ବୋମା ବର୍ଷଣ ହୋଇଥିଲା । ଏଥିରେ ୨ଜଣ ସ୍ୱାସ୍ଥ୍ୟକର୍ମୀ ସମେତ ୧୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୭ଜଣ ଗୁରୁତର ଆହାତ ହୋଇ ଜୀବନ ଜିଇବା ପାଇଁ ସଂଘର୍ଷ କରୁଛନ୍ତି । ଏଭଳି ଏକ ଘଟଣା ଘଟିଛି ସିରିୟାର ଏକ ହସ୍ପିଟାଲରେ । ତେବେ ଏହି ଆକ୍ରମଣ ପଛରେ କାହାର ହାତ ରହିଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ଏହି ଆକ୍ରମଣକୁ ନେଇ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସିରିୟାନ କୁର୍ଦେଶ ସଂଗଠନକୁ ଦାୟୀ କରିଛନ୍ତି । ବ୍ରିଟେନର ମାନବାଧିକାର ସଂଗଠନ ‘ସିରିଆନ୍ ଅବଜରଭେଟରୀ ଫର୍ ହ୍ୟୁମାନ୍ ରାଇଟ୍ସ’ ଏହି ଆକ୍ରମଣରେ ୧୮ ଜଣ ପ୍ରାଣ ହରାଇଥିବା କହିଛି । ସିରିଆନ୍ ଆମେରିକାନ ମେଡିକାଲ୍ ସୋସାଇଟି (ଏସଏଏମଏସ) କହିଛି ଯେ ଆଫ୍ରିନ୍ ସହରର ଅଲ-ଶିଫା ହସ୍ପିଟାଲରେ ଦୁଇଟି କ୍ଷେପଣାସ୍ତ୍ର ମାଡ କରାଯାଇଥିଲା । ମିସାଇଲ ମାଡ ପରେ ହସ୍ପିଟାଲର ପଲିକ୍ଲିନିକ୍ ବିଭାଗ, ଜରୁରୀକାଳୀନ ବିଭାଗ ଏବଂ ପ୍ରସବ କକ୍ଷ ବ୍ୟାପକ ଭାବେ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । ହସ୍ପିଟାଲ ଉପରେ ଆକ୍ରମଣ ଘଟଣାର ତଦନ୍ତ ଦାବି କରିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ । ସେପଟେ କୁର୍ଦ ସମୂହକୁ ଏହି ଘଟଣାରେ ଦାୟୀ କରିଛି ତୁର୍କୀ । ସିରିଆର ଡେମୋକ୍ରାଟିକ୍ ଫୋର୍ସର ମୁଖ୍ୟ ମଜଲୁମ୍ ଅବାଦୀ ସ୍ପଷ୍ଟ ଭାବେ କହିଛନ୍ତି ଯେ, ତାଙ୍କ ସୈନ୍ୟବାହିନୀ ଏହି ଆକ୍ରମଣରେ ସମ୍ପୃକ୍ତ ନାହିଁ । ଏହା ସହିତ ସେ ଏକ ଟ୍ବିଟ୍ କରି କହିଛନ୍ତି ଯେ, ଆମେରିକା ସମର୍ଥିତ ଏସଡିଏଫ ନିର୍ଦ୍ଦୋଷ ଲୋକଙ୍କୁ ଟାର୍ଗେଟ କରୁଥିବା ଆକ୍ରମଣକୁ ନିନ୍ଦା କରିଛି । ସେ ଏହାକୁ ଅନ୍ତର୍ଜାତୀୟ ନିୟମର ଉଲ୍ଲଂଘନ ବୋଲି କହିଛନ୍ତି।





