ଭୁବନେଶ୍ୱର,(ବାଘୁଆବାର୍ତ୍ତା) : ପୌରାଣିକ ଆଖ୍ୟାନ ଅନୁଯାୟୀ ଉତ୍କଳୀୟ ସଂସ୍କୃତିରେ ସାବିତ୍ରୀ ବ୍ରତ ପତି-ପତ୍ନୀର ଏକ ଅନାବିଳ ଭଲପାଇବାର ଦିନ । ଏହି ଦିନ ସାବିତ୍ରୀମାନେ ନିଜ ନିଜ ସତ୍ୟବାନଙ୍କ ଦୀର୍ଘାୟୁ କାମନା କରି ଓଷାବ୍ରତ ପାଳନ କରିଥାନ୍ତି । ଯେଉଁଠି ରହିଥାଏ ଏକ ପବିତ୍ର ଭଲପାଇବା ଓ ସମର୍ପଣ । କିନ୍ତୁ ଏହିଭଳି ଏକ ପବିତ୍ର ଦିନରେ ପ୍ରେମ କରି ବିବାହ କରିଥିବା ପତି ନିଜ ପତ୍ନୀକୁ ସାବିତ୍ରୀ ବ୍ରତ ଦିନ ବିଷ ପିଆଇ ମାରିଦେବା ଭଳି ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନାର ଆଭ୍ୟନ୍ତରୀଣ ତଥା ଇଚ୍ଚପାହାଡ଼ଘେରା ଅଂଚଳ ସିର୍କିହେଜୁ ଗ୍ରାମର ଯୁବକ ନୀଳାମ୍ବର ବୈଠାରୁ(୨୯) ଗତ ପ୍ରାୟ ପାଂଚବର୍ଷ ତଳେ ନିଜ ଗାଁର ପୁଷ୍ପାଞ୍ଚଳୀ ବୈଠାରୁ(୨୨)ଙ୍କୁ ପ୍ରେମ ବିବାହ କରିଥିଲେ । ବିବାହର ଦୁଇ ବର୍ଷ ପ୍ରାୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିଥିଲା। କିନ୍ତୁ ଧୀରେ ଧୀରେ ଏହି ସଂପର୍କରେ ଫାଟ ସୃଷ୍ଟି ହେଲା । ସ୍ୱାମୀ ଜଣକ ପ୍ରାୟ ପ୍ରତିଦିନ ମଦ୍ୟପାନ କରୁଥିଲେ ଯାହାକୁ ଦେଇ ଘରେ ଅଶାନ୍ତି ଲାଗି ରହୁଥିଲା । ପୁଣି ସେ ନିଜ ମାମୁଁ ଝିଅକୁ ବାହା ହୋଇଥିଲେ ଏବଂ ସେମାନଙ୍କର ଦୁଇ ଶିଶୁପୁତ୍ର ମଧ୍ୟ ରହିଛନ୍ତି । ତେବେ ସାବିତ୍ରୀ ପୂଜା ଦିନ ଜୋର ଜବରଦସ୍ତ ପୁଷ୍ପାଞ୍ଚଳୀକୁ ବିଷ ପିଆଇଦେଇଥିଲେ । ଗୁରୁତର ପୁଷ୍ପାଞ୍ଜଳୀଙ୍କୁ ପ୍ରଥମେ ମ.ରାମପୁର ଡ଼ାକ୍ତରଖାନା ଓ ପରେ ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥଲା । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ଶବ ବ୍ୟବଚ୍ଛେଦ୍ଦ ସହିତ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ତେବେ ଏନେଇ ମ.ରାମପୁର ଥାନାରେ ମୃତ ମହିଳାଙ୍କ ପିତା ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ମ.ରାମପୁର ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲେ ।





