ଭୁବନେଶ୍ୱର, (ବାଘୁଆବାର୍ତ୍ତା): ବାତ୍ୟା ପ୍ରବଣ ରାଜ୍ୟ ଓଡ଼ିଶା । ଏଠାରେ ଗଞ୍ଜାମରୁ ବାଲେଶ୍ୱର ପର୍ୟ୍ୟନ୍ତ ୪୮୦ କିମି ବିଶାଳ ଉପକୂଳ ଅଞ୍ଚଳ ରହିଛି । ଯେତେ ଥର ବାତ୍ୟା ଆସୁଛି, ଏହି ଉପକୂଳ ଅଞ୍ଚଳରେ ଅଧିକ କ୍ଷୟକ୍ଷତି କରୁଛି । ରାଜ୍ୟ ସରକାର ଏବେ ବାତ୍ୟାର ସ୍ଥାୟୀ ପ୍ରତିରୋଧ ଭିତ୍ତିଭୂମି ଉପରେ ଗୁରୁତ୍ୱ ଦେଉଛନ୍ତି । ଏ ସମୟରେ ଓଡ଼ିଶା ପରିବେଶ ସମିତି(ଓଇଏସ) ପରାମର୍ଶ ଦେଇଛି, ଉପକୂଳ ଓଡ଼ିଶାରେ ବ୍ୟାପକ ହେନ୍ତାଳ ଜଙ୍ଗଲ ସୃଷ୍ଟି କରାଯାଉ । ସମୁଦ୍ର ତଟବର୍ତ୍ତୀ ନଦୀ ମୁହାଣ ଅଞ୍ଚଳରେ ହେନ୍ତାଳ ବଣ ପ୍ରାଚୀର ଭଳି ଉପକୂଳକୁ ରକ୍ଷା କରିବ । ସେହିପରି ଯେଉଁଠି କେବଳ ବାଲିଚର ରହିଛି, ସେଠାରେ ଝାଉଁ ଜଙ୍ଗଲ କରାଯାଉ । ହେନ୍ତାଳ ଓ ଝାଉଁ ବଣ ଉପକୂଳ ଓଡ଼ିଶା ପାଇଁ ସୁରକ୍ଷା ପାଚେରି ଭଳି କାମ କରିପାରିବ । ବାତ୍ୟା ହେଲେ ବି କ୍ଷୟକ୍ଷତି କମ୍ ରହିବ । ଯେଉଁ ମୁହାଣରେ ନଦୀଗୁଡ଼ିକ ସମୁଦ୍ରରେ ମିଶିଥାଏ, ତାହା ହେନ୍ତାଳ ଗଛ ବଢ଼ିବା ପାଇଁ ଉପଯୁକ୍ତ ସ୍ଥାନ । ରାଜ୍ୟରେ ପ୍ରାୟ ୧୨ ବଡ଼ ନଦୀ ସମୁଦ୍ରରେ ପଡ଼ିଛି । ଏହାବାଦ୍ ଅନେକ ଛୋଟ ଛୋଟ ନଦୀ ବି ସମୁଦ୍ରରେ ମିଶିଛନ୍ତି । ହେଲେ ତଥ୍ୟ କହୁଛି, ରାଜ୍ୟରେ କେବଳ ୨୧୯ ବର୍ଗ କିମି ହେନ୍ତାଳ ବଣ ଅଛି । ଏଥିମଧ୍ୟରୁ କେନ୍ଦ୍ରାପଡ଼ା ଜିଲ୍ଲାରେ ସର୍ବାଧିକ ୧୯୨ ବର୍ଗ କିମି ହେନ୍ତାଳ ବଣ ରହିଛି । ଭଦ୍ରକ ଜିଲ୍ଲାରେ ୧୯ ବର୍ଗ କିମି, ବାଲେଶ୍ୱରରେ ମାତ୍ର ୩ ବର୍ଗ କିମି ଓ ଜଗତସିଂହପୁରରେ କେବଳ ୫ ବର୍ଗ କିମି ହେନ୍ତାଳ ବଣ ଅଛି । ଖୋଦ୍ ରାଜ୍ୟ ପରିବେଶ ବିଭାଗ ମାନୁଛି ଯେ ଭିତରକନିକାରେ ଥିବା ବିଶାଳ ହେନ୍ତାଳ ବଣ ଯୋଗୁ ସେଠାରେ ୟାସ୍ ବାତ୍ୟା ବିଶେଷ କ୍ଷୟକ୍ଷତି କରିପାରିନଥିଲା । କେନ୍ଦ୍ରାପଡ଼ାର ଉପକୂଳ ଅଞ୍ଚଳରେ ବି କ୍ଷୟକ୍ଷତି ଅପେକ୍ଷାକୃତ କମ୍ ରହିଥିଲା । ଓଡ଼ିଶା ପରିବେଶ ସମିତି ସଭାପତି ଡ.ସୁନ୍ଦର ନାରାୟଣ ପାତ୍ର ଓ ସମ୍ପାଦକ ଡ. ଜୟକୃଷ୍ଣ ପାଣିଗ୍ରାହୀ କହିଛନ୍ତି, ଉପକୂଳ ଓଡ଼ିଶାରେ ବାତ୍ୟା ପ୍ରକୋପରୁ ୟକ୍ଷୟତି ହ୍ରାସ ପାଇଁ ହେନ୍ତାଳ ବଣ ବେଶ୍ ସହାୟକ ହୋଇପାରିବ । ଜଗତସିଂହପୁରରେ ହେନ୍ତାଳ ବଣ କମ୍ ଥିବାରୁ ୧୯୯୯ ମହାବାତ୍ୟାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ମାତ୍ର କେନ୍ଦ୍ରାପଡ଼ାରେ ହେନ୍ତାଳ ବଣ ଅଧିକ ଥିବାରୁ ତଟବର୍ତ୍ତୀ ଅଞ୍ଚଳରେ ଅପେକ୍ଷାକୃତ କମ୍ କ୍ଷୟକ୍ଷତି ହୋଇଥିଲା । ଆନ୍ତର୍ଜାତିକ ସ୍ତରରେ ମଧ୍ୟ ହେନ୍ତାଳ ବଣର ଉପସ୍ଥିତି ବାତ୍ୟାକୁ ପ୍ରତିରୋଧ କରିବାରେ ପ୍ରଭାବୀ ହେଉଥିବା ଲକ୍ଷ୍ୟ କରାଯାଇଛି । ଅନେକ ବିଷୁବ ମଣ୍ଡଳୀୟ ଅଞ୍ଚଳରେ ହେନ୍ତାଳ ବଣ ସୃଷ୍ଟି କରାଯାଇଛି । କେବଳ ବାତ୍ୟା ପ୍ରତିରୋଧକ ଭାବେ ନୁହେଁ, ହେନ୍ତାଳ ବଣ ଜଳ ଓ ସ୍ଥଳ ଜୀବଜନ୍ତୁଙ୍କ ପାଇଁ ଏକ ଉତ୍ତମ ପରିସଂସ୍ଥାନ ଗଠନ, ମୃତ୍ତିକା ସଂରକ୍ଷଣ, ବନ୍ୟା ନିୟନ୍ତ୍ରଣ, ସ୍ଥାନୀୟ ଅଧିବାସୀଙ୍କୁ ଜୀବିକା ପ୍ରଦାନ ଓ ସର୍ବୋପରି ଅଙ୍ଗାରକୁ ସଂରକ୍ଷଣର ଏକ ଉତ୍ତମ ଭଣ୍ଡାର । ଓଡ଼ିଶା ପରିବେଶ ସମିତି ପରାମର୍ଶ ଦେଇଛି, ରାଜ୍ୟ ସରକାର ଓଡ଼ିଶାର ୪୮୦ କିମି ବିସ୍ତୀର୍ଣ୍ଣ ଉପକୂଳକୁ ପ୍ରଥମେ ଏକ ବିଶେଷଜ୍ଞ କମିଟି ଦ୍ୱାରା ସର୍ବେକ୍ଷଣ କରାଇବା ଆବଶ୍ୟକ । ଉପକୂଳର କେତେ ଅଞ୍ଚଳରେ ଓ କେଉଁଠି ହେନ୍ତାଳ ବଣ ସୃଷ୍ଟି କରିବା ପାଇଁ ଉପଯୁକ୍ତ, ତାହା ଚିହ୍ନଟ କରାଯାଉ । ଯେଉଁଠି ହେନ୍ତାଳ ବଣ ହୋଇପାରିବନି, ସେଠାରେ ବ୍ୟାପକ ଝାଉଁ ଗଛ ଲଗାଯାଉ । ଯେଉଁଠି ସମୁଦ୍ର ଉପକୂଳ ଅଞ୍ଚଳ ତଳିଆ ଥିବ, ସେଠାରେ ସୁରକ୍ଷା ପାଇଁ କଂକ୍ରିଟ ବନ୍ଧ କରାଯିବା ଆବଶ୍ୟକ । ଆବଶ୍ୟକ ସ୍ଥଳେ ଉପକୂଳ ସୁରକ୍ଷା ପାଇଁ ଜିଓ ଟ୍ୟୁବ ବ୍ୟବସ୍ଥା କରାଯାଇପାରିବ । ଏସବୁ ଦିଗରେ ତ୍ୱରିତ୍ ପଦକ୍ଷେପ ନେବା ପାଇଁ ଓଡ଼ିଶା ପରିବେଶ ସମିତି ପରାମର୍ଶ ଦେଇଛି । ଏ ପ୍ରସଙ୍ଗରେ ସମିତି ପକ୍ଷରୁ ଖୁବଶୀଘ୍ର ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗକୁ ଏକ ପ୍ରସ୍ତାବ ଦିଆଯିବା ସମ୍ଭାବନା ଅଛି ।





