ଗୋପାଳଗଞ୍ଜ,(ବାଘୁଆବାର୍ତ୍ତା): ବାହାଘରରେ ବରଯାତ୍ରୀଙ୍କୁ ନେଇ ଅଧିକାଂଶ ସ୍ଥାନରେ ବିବାଦ ହୋଇଥାଏ। କିନ୍ତୁ ବିହାରର ଗୋପାଳଗଞ୍ଜରେ ବରଯାତ୍ରୀଙ୍କୁ ଖାଇବାକୁ ମାଛ ମୁଣ୍ଡ ନମିଳିବାରୁ ଦୁଇ ପକ୍ଷ ଭିତରେ ହୋଇଥିଲା ରକ୍ତାକ୍ତ ସଂଘର୍ଷ। ଯେଉଁଥିରେ ଉଭୟ ପାର୍ଶ୍ୱରୁ ୧୧ ଜଣ ଆହତ ହୋଇଛନ୍ତି। ଏହି ଘଟଣା ଭୋର ଥାନା ଅନ୍ତର୍ଗତ ସିସାଇ ଟୋଲାର ଭଟୱାଲିଆ ଗାଁରେ ଘଟିଛି। ସମସ୍ତ ଆହତଙ୍କୁ ଗୋପାଳଗଞ୍ଜ ସଦର ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଘଟଣା ପରେ ଉଭୟ ପକ୍ଷ ଭିତରେ ଉତ୍ତେଜନା ଦେଖାଦେଇଛି। ପୋଲିସ ଏହି ମାମଲାରେ ଉଭୟ ପକ୍ଷର ଆହତଙ୍କ ବୟାନ ରେକର୍ଡ କରି ତଦନ୍ତ ଆରମ୍ଭ କରିଛି। ସଦର ହସ୍ପିଟାଲରେ ଚିକିତ୍ସା ପାଇଁ ପହଞ୍ଚିଥିବା ଆହତ ସୁଦାମା ଗୋଣ୍ଡ ଓ ମୁନା ଗୋଣ୍ଡ କହିଛନ୍ତି ଯେ ତାଙ୍କ ପୁଅ ରାଜୁ ଗୋଣ୍ଡ ଏବଂ ମୁନ୍ନା ଗୋଣ୍ଡ ମାଛ ପରଷୁଥିଲେ। ଏହି ସମୟରେ ପଡୋଶୀ ଅଜୟ ଗୋଣ୍ଡ ଏବଂ ଅଭୟ ଗୋଣ୍ଡ ସେମାନେ ଜାଣିଥିବା ଅତିଥିମାନଙ୍କୁ ଆଣି ଖାଇବାକୁ ଦେବା ପାଇଁ ବସାଇଥିଲେ। ପ୍ରଥମ ରାଉଣ୍ଡରେ ଖାଇବାକୁ ବସିଥିବା ଲୋକଙ୍କୁ ଦୁଇଟି ଖଣ୍ଡ ମାଛ ଦିଆଯାଇଥିଲା। ଏହାପରେ ମାଛ ମୁଣ୍ଡ ଖାଇବେ ବୋଲି ସେମାନେ କହିଥିଲେ। ମାଛ ମୁଣ୍ଡ ଦିଆଯାଇନଥିବାରୁ ରାଜୁ ଗୋଣ୍ଡ ଏବଂ ମୁନ୍ନା ଗୋଣ୍ଡଙ୍କୁ ମାଡ ଦିଆଯାଇଥିଲା। ଏହି ସମୟରେ ଗାଁର ଅନ୍ୟ ଲୋକମାନେ ପହଞ୍ଚିଥିଲେ, ସେପର୍ୟ୍ୟନ୍ତ ଉଭୟ ପାର୍ଶ୍ୱ ମଧ୍ୟରେ ଚେୟାର ଫୋପଡା ଫୋପଡି ଓ ମାରପିଟ୍ ଚାଲିଥିଲା ଏଥିରେ୧୧ ଜଣ ଆହତ ହୋଇଥିଲେ। ପୋଲିସ ଉଭୟ ପକ୍ଷର ବୟାନ ନେବାପରେ ମାମଲାର ତଦନ୍ତ କରୁଛି।






