ଜୟପୁର,(ବାଘୁଆବାର୍ତ୍ତା): ଅକ୍ସିଜେନ ସିଲିଣ୍ଡର ଭର୍ତ୍ତି ଟ୍ରକରେ ଗଞ୍ଜେଇ ଚାଲାଣ। ପୁଲିସ୍କୁ ଚକମା ଦେବା ପାଇଁ ମାଫିଆମାନେ ଅଭିନବ ଉପାୟରେ ଚାଲାଣ କରୁଥିଲେ ଗଞ୍ଜେଇ। ମାତ୍ର ଧରିନେଲା ପୁଲିସ୍। ଏଭଳି ଘଟଣା ଘଟିଛି କୋରାପୁଟ ଜିଲ୍ଲା ଜୟପୁରରେ। ଏକ ଅକ୍ସିଜେନ୍ ସିଲିଣ୍ଡର ଭର୍ତ୍ତି ଟ୍ରକ୍ରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଜୟପୁର ସଦର ଥାନା ପୁଲିସ୍କୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ ଓଆଇସି ଏ ମହାକୁଡ଼ଙ୍କ ନେତୃତ୍ୱରେ ଏକ ଟିମ୍ ଜୟପୁର ଘାଟିରାସ୍ତାକୁ ଯାଇଥିଲେ ଓ ଉକ୍ତ ଟ୍ରକ୍କୁ ଜବତ କରିଥିଲେ। ଉକ୍ତ ଟ୍ରକ୍ରୁ ୧୨୭୭ କେଜି ଗଞ୍ଜେଇ ଜବତ କରାଯାଇଛି। ଏହାର ମୂଲ୍ୟ ପ୍ରାୟ ୧କୋଟି ୧୦ ଲକ୍ଷ ଟଙ୍କା ହେବ। ପୁଲିସ୍ ଉକ୍ତ ଟ୍ରକ୍ ସହିତ ୨ଟି ମୋବାଇଲ୍କୁ ଜବତ କରିଛି। ଏହି ମାମଲାରେ ପୁଲିସ୍ ୨ ଜଣଙ୍କୁ ଗିରପ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ଯଶପାଲ ଓ ଲଖବିନ୍ଦର ସିଂହ। ଯଶପାଲ ଟ୍ରକ୍ ଡ୍ରାଇଭର ହୋଇଥିବା ବେଳେ ଲଖବିନ୍ଦର ଜବତ ଗଞ୍ଜେଇ କିଣି ଥିଲେ। ଉଭୟ ଅଭିଯୁକ୍ତ ପଞ୍ଜାବର। ଜବତ ଗଞ୍ଜେଇ ପଞ୍ଜାବକୁ ଚାଲାଣ ହେଉଥିଲା ବୋଲି ଜୟପୁର ସଦର ଥାନା ପୁଲିସ୍ ପକ୍ଷରୁ କୁହାଯାଇଛି।






