ନୟାଗଡ଼, (ବାଘୁଆବାର୍ତ୍ତା): କରୋନା ସଂକ୍ରମଣ ଦିନକୁ ଦିନ ନୟାଗଡ଼ରେ ବୃଦ୍ଧି ପାଇବାରେ ଲାଗିଛି । ଏହି ମହାମାରୀ ସମୟରେ ଫିଲ୍ମି ଷ୍ଟାରଙ୍କ ଠାରୁ ଆରମ୍ଭ କରି ଅନେକ ବ୍ୟକ୍ତି ସାହାର୍ୟ୍ୟର ହାତ ଖୋଲି ଦେଇଛନ୍ତି । ଏହି ପରି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ରେ । ନୟାଗଡ଼ ସଦର ବ୍ଲକ୍ ଅନ୍ତର୍ଗତ ଭାଟସାହି ପଞ୍ଚାୟତର ସରପଞ୍ଚ କିଶୋର ଚନ୍ଦ୍ର ସାହୁ କରୋନା ରୋଗୀଙ୍କ ପାଇଁ ସାହାର୍ୟ୍ୟର ହାତ ବଢାଇଛନ୍ତି । ଗତବର୍ଷ ମହାମାରୀ କରୋନା ସମୟରେ ସରପଞ୍ଚ ନିଜ ପଞ୍ଚାୟତର ବାହାର ରାଜ୍ୟରେ କାର୍ୟ୍ୟ କରୁଥିବା ପ୍ରବାସୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରି ସୁଖ ଦୁଃଖରେ ସାମିଲ ହୋଇଥିଲେ । ଏଥି ସହିତ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ନୟାଗଡ଼ ଜିଲ୍ଲାପାଳଙ୍କ ଜରିଆରେ ୧ଲକ୍ଷ ଟଙ୍କା ପ୍ରଦାନ କରିଥିଲେ । ଗତ କିଛିମାସ ତଳେ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ରୋଗୀ ମାନଙ୍କ ପାଇଁ ଏକ ଆମ୍ବୁଲାନ୍ସ ଉତ୍ସର୍ଗ କରିଥିଲେ । କରୋନାର ଦ୍ୱିତୀୟ ଲହରରେ ଅକ୍ସିଜେନ ଅଭାବରୁ ଅନେକ ଜୀବନ ଚାଲିଯାଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଭାଟସାହି ସରପଞ୍ଚ ଶ୍ରୀ ସାହୁ ଆଜି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ୨୦ଟି ଅକ୍ସିଜେନ ଭରା ସିଲିଣ୍ଡର ପ୍ରଦାନ କରିବା କାର୍ୟ୍ୟକ୍ରମରେ ନୟାଗଡ଼ ବିଧାୟକ ତଥା ରାଜ୍ୟ କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ ମୁଖ୍ୟ ଅତିଥିଭାବେ ଭାବେ ଶୁଭ ଉଦ୍ଘାଟନ କରିଛନ୍ତି । ଉକ୍ତ କାର୍ୟ୍ୟକ୍ରମରେ ଜିଲ୍ଲାପାଳ ଡଃ ପୋମା ଟୁଡୁ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ ଶକ୍ତି ପ୍ରସାଦ ମିଶ୍ର, ନୟାଗଡ଼ ବନଖଣ୍ଡ ଅଧିକାରୀ ଏଚ.ଡି.ଧନରାଜ, ପ୍ରକଳ୍ପ ନିର୍ଦ୍ଦେଶକ ସୁବାଷ ଚନ୍ଦ୍ର ରାୟ, ସମାଜସେବୀ ପ୍ରମୋଦ ପଟ୍ଟନାୟକ ପ୍ରମୁଖ କୋଭିଡ୍ କଟକଣା ପାଳନ କରି ଉପସ୍ଥିତ ଥିଲେ। ଏହାକୁ ନେଇ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଏଭଳି କାର୍ୟ୍ୟକୁ ସବୁ ମହଲରେ ପ୍ରଶଂସା କରାଯାଇଛି ।





