କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଶୋକ
ନୟାଗଡ଼,(ବାଘୁଆବାର୍ତ୍ତା): ପଦ୍ମଶ୍ରୀ ରାଧାମୋହଙ୍କ ଆଜି ପରଲୋକ ଘଟିଛି । ଭୂବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି । ସମ୍ଭବର ପ୍ରାଣ ପ୍ରତିଷ୍ଠାତା ତଥା ବିଶ୍ଵର ଜଣେ ଆଗଧାଡିର ପରିବେଶ ବିତ ପଦ୍ମଶ୍ରୀ ପ୍ରଫେସର ରାଧାମୋହନ । ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ରଙ୍ଗଣୀପାଟଣା ଗ୍ରାମର ପ୍ରଫେସର ରାଧାମୋହନ ଏବଂ ତାଙ୍କ ଝିଅ ସାବରମତୀଙ୍କୁ ଗତବର୍ଷ ପଦ୍ମଶ୍ରୀ ସମ୍ମାନ ମିଳିଥିଲା । ସେ ଏକ ଟାଙ୍ଗରା ମରୁଭୂମୀରେ ସୁନାର ଫସଳ ଫଳାଇ ଚର୍ଚ୍ଚାକୁ ଆସିଛନ୍ତି । ୧୯୮୯ ମସିହାରେ ଓଡ଼ଗାଁ ବ୍ଲକ ଅନ୍ତର୍ଗତ ରୋହିବାଙ୍କ ଅଚଳରେ ଏଳର ଏଳର ଚାଷ ଜମି ଅନୁର୍ବର ହୋଇ ପଡ଼ି ରହିଥିଲା । ଏହି ଜମି ସବୁ ପାଣି ଅଭାବରୁ ମରୁଭୂମୀ ପାଲଟିଥିଲା । ଲୋକମାନେ ଏହି ଜମିରେ ଚାଷର ଆଶା ଛାଡ଼ି ଦେଇଥିଲେ । ସାବରମତୀ ଏବଂ ପ୍ରଫେସର ରାଧାମୋହନ ଓଡ଼ଗାଁ ଫେରିବା ପରେ ଏହି ଟାଙ୍ଗରା ଭୂମୀ ତାଙ୍କୁ ଚିନ୍ତାରେ ପକାଇଥିଲା । କିଭଳି ଏହି ବନ୍ଧ୍ୟା ଜମିରେ ସୁନାର ଫସଲ ଫଳା ଯାଇପାରିବ ସେ ନେଇ ପ୍ରସ୍ତୁତି ଆରମ୍ଭ କରିଥିଲେ । ରାଧାମୋହନଙ୍କ ସମ୍ଭବ ଅନୁଷ୍ଠାନ ସହ ସେ ଜଡ଼ିତ ହେବା ପରେ ଅସମ୍ଭବକୁ ସମ୍ଭବରେ ପରିଣତ କରିବାକୁ ସେ ଲାଗି ପଡ଼ିଥିଲେ । ପ୍ରାୟ ୯୦ ଏକରରୁ ଅଧିକ ବନ୍ଧ୍ୟା ଜମିକୁ ପରୀକ୍ଷା ନିରକ୍ଷା କରିବା ପରେ ଜୈବିକ ଉପାୟରେ ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ । ୧୯୯୨-୯୩ ମସିହାରେ ସେ ଏହି ଜୈବିକ ଚାଷ ପଦ୍ଧତୀ ଆପଣାଇ ସଫଳତା ସାଉଣ୍ଟିଥିଲେ । କୃଷି ବିଜ୍ଞାନିଙ୍କ ସହାୟତା ନେଇ କିଭଳି ଏହି ମାଟି ଜଳଧାରଣ କରିବ ସେ ନେଇ ବ୍ୟବସ୍ଥା କରିଥିଲେ । ବର୍ତ୍ତମାନ ୯୦ ଏଳର ଟାଙ୍ଗରା ଜମିରେ ସେ ସୁନାର ଫସଳ ଫଳାଇ ଚାଲିଛନ୍ତି । ଏଥିସହିତ ଜୈବିକ କୃଷି ଫାର୍ମରେ ୫ଶହ ପ୍ରକାରର ଦେଶୀ ଧାନ କିସମ ରହିଥିବା ଜଣାପଡ଼ିଛି । ଏହି ଫାର୍ମରେ ହଜାରରୁ ଅଧିକ ପ୍ରକାରର ଔଷଧ ବୃକ୍ଷ ମଧ୍ୟ ରୋପଣ କରିବା ସହ ଜଙ୍ଗଲ ସୃଷ୍ଟି କରିଛନ୍ତି । ଅନ୍ୟପକ୍ଷେ ପ୍ରଫେସର ରାଧାମୋହନ ବିଭିନ୍ନ କଲେଜରେ ଅଧ୍ୟାପନା କରିବାରୁ ତାଙ୍କର ଜୀବନ କାଳ ଆରମ୍ଭ ହୋଇଥିବା ବେଳେ ସରକାରଙ୍କ ବିଭିନ୍ନ ବିଭାର ଅଧିକାରି ଭାବେ ମଧ୍ୟ କାର୍ଯ୍ୟ କରିଥିବା ଜଣାପଡ଼ିଛି । ସେ ୨୦୦୫-୦୬ ମସିହାରେ ଓଡ଼ିଶାର ପ୍ରଥମ ସୂଚନା କମିଶନର ଭାବେ କାର୍ଯ୍ୟ କରିଥିବା ଏବଂ ୟୁନାଇଟେଡ ଷ୍ଟେଟ ଅଫ ଆମେରିକାରୁ ଗ୍ଲୋବାଲ ରୋଲ ଅଫ ଅର୍ନର ପାଇଥିବା ଜଣାଯାଇଛି । ପଦ୍ମଶ୍ରୀ ରାଧାମୋହନଙ୍କ ପରଲୋକ ଖବର ସମସ୍ତଙ୍କ ବ୍ୟଥିତ କରିଛି । ନୟାଗଡ଼ ବିଧାୟକ ତଥା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଶୋକ ବ୍ୟକ୍ତ କରିଛନ୍ତି । ତାଙ୍କ ପରିବାରକୁ ଭଗବାନ ସହାୟ ହୁଅନ୍ତୁ ବୋଲି ପାର୍ଥନା କରିଛନ୍ତି । ସେହିଭଳି ଭାବେ ସମାଜସେବୀ ପ୍ରମୋଦ ପଟ୍ଟନାୟକ ଏବଂ ବରିଷ୍ଠ ନାଗରିକ ମଞ୍ଚ ଶୋକ ବ୍ୟକ୍ତ କରିଥିବା ସୂଚନା ମିଳିଛି ।





