ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଭେଟେରାନ ଅଭିନେତା ଦିଲୀପ କୁମାରଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଲା । ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେବାରୁ ତାଙ୍କୁ ମୁମ୍ବାଇର ହିନ୍ଦୁଜା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏନେଇ ତାଙ୍କର ଟ୍ଵିଟର ଆକାଉଣ୍ଟରେ ସୂଚନା ପ୍ରଦାନ କରାଯାଇଛି। ତେବେ ଦିଲୀପଙ୍କ ସ୍ଵାସ୍ଥ୍ୟାବସ୍ଥା ବର୍ତ୍ତମାନ ହସ୍ପିଟାଲରେ ମନିଟର କରାଯାଉଛି। ଦିଲୀପଙ୍କ ପତ୍ନୀ ତଥା ବରିଷ୍ଠ ଅଭିନେତ୍ରୀ ସାଇରା ବାନୁ ଦିଲୀପଙ୍କ ଆଡମିଟ୍ ନେଇ ଗଣମାଧ୍ୟମକୁ ଜଣାଇଛନ୍ତି । ସାଇରା ବାନୁ କହିଛନ୍ତି ଯେ ଦିଲୀପ କୁମାରଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା ଏବଂ ଏହି କାରଣରୁ ତାଙ୍କୁ ଆଜି ସକାଳ ୮.୩୦ସମୟରେ ଖାର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଏହା ପୂର୍ବରୁ ଗତ ମାସରେ ସେ ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେତେବେଳେ ସେ ରୁଟିନ ଚେକଅପ୍ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ୯୮ ବର୍ଷୀୟ ଦିଲୀପ କୁମାର କରୋନା କାଳରେ ସମ୍ପୂର୍ଣ୍ଣ ରୂପେ ସାବଧାନତା ଅବଲମ୍ବନ କରୁଛନ୍ତି। ଏପରିକି ସେ ତାଙ୍କର ଜନ୍ମଦିନ ମଧ୍ୟ ପାଳନ କରି ନଥିଲେ। ସେ ୨୦୨୦ରୁ ତାଙ୍କ ପତ୍ନୀଙ୍କ ସହ କ୍ଵାରେଣ୍ଟାଇନରେ ଅଛନ୍ତି।






