ନୟାଗଡ଼ (ବାଘୁଆବାର୍ତ୍ତା): ଦାନ୍ତ ଥିବା ବେଳେ ଦାନ୍ତର ମର୍ଯ୍ୟାଦା ଅନେକ ବୁଝିପାରନ୍ତି ନାହିଁ । ଫଳରେ ଅସମୟରେ ଦାନ୍ତ ନଷ୍ଟ ହୋଇଯାଏ । ନଷ୍ଟ ହୋଇଯାଏ ଶରୀର ସୌଷ୍ଠବ ଓ ସ୍ୱାସ୍ଥ୍ୟର ସୌନ୍ଦର୍ଯ୍ୟ । ତେଣୁ ଜାଣିବାକୁ ହେବ କିପରି ଦାନ୍ତର ପରିଚର୍ଯ୍ୟା କରିବା ଉଚିତ – ଦାନ୍ତ ଘଷିବେ କିପରି? କେଉଁ ଖାଦ୍ୟରେ ଦାନ୍ତର ସ୍ୱାସ୍ଥ୍ୟ ବଜାଇ ରହେ? ଦାନ୍ତର ବିଭିନ୍ନ ରୋଗର କାରଣ ଓ ପ୍ରତିକାର ସମ୍ବନ୍ଧରେ ସତର୍କ ରହିବା ଜରୁରୀ । ଖୁବ ସୁନ୍ଦର ସଜ୍ଜିତ ଝକମକ ମୁକ୍ତା ସଦୃଶ ଦନ୍ତାବଳୀର ହସରେ ପୃଥିବୀର ଅନେକ କିଛିକୁ ଜୟ କରାଯାଇପାରେ । ବିଶ୍ୱ ଇତିହାସର ପୃଷ୍ଠା ଲେଉଟାଇଲେ ଦେଖିବାକୁ ମିଳିବ ଏହି ମୁକ୍ତା ହସଟିଏ ପାଇଁ କେତେ ରାଜା, ମହାରାଜା, ସମ୍ରାଟ, ବାଦଶାହା ଓ ଜମିଦାରମାନେ ତାଙ୍କର ପ୍ରାଣ ପର୍ଯ୍ୟନ୍ତ ମକ୍ତାପଂକ୍ତି ଝରି ପଡୁଥିବା ହସ ନିକଟରେ ସମର୍ପଣ କରିଦେଛନ୍ତି । କ୍ଲିଓପେଟ୍ରୋ ସୌନ୍ଦର୍ଯ୍ୟର ଅସଲ ଚାବିକାଠିଟା ହିଁ ଥିଲା ହସର ଯାଦୁରେ । ସେଲୁଲଏଡ ପର୍ଦ୍ଦାରେ ଫୁଟି ଉଠେ ଅନେକ ସୁନ୍ଦରୀଙ୍କର ଅସଲ ସୌନ୍ଦର୍ଯ୍ୟ ସେମାନଙ୍କ ହସରେ । ଅନେକ ହୁଏତ ମନେ କରନ୍ତି ଗୋଟିଏ ମନୋଲୋଭା ଥିଲା ହସ ବ୍ୟକ୍ତିଙ୍କ ଓଠର ଗଢ଼ଣ ଅର୍ଥାତ ମୁଖର ଦୈର୍ଘ୍ୟ ଉପରେ ନିର୍ଭରଶୀଳ । କିନ୍ତୁ ପ୍ରକୃତରେ ତାହା ନୁହେଁ । ଗୋଟିଏ ଚମତ୍କାର ହସ ସଂପୂର୍ଣ୍ଣ ନିର୍ଭର କରେ ତା’ର ଦନ୍ତପଂକ୍ତି ଉପରେ । ଚିକିତ୍ସା ବିଜ୍ଞାନ କହେ ଦାନ୍ତର ଭାରସାମ୍ୟକୁ ବଜାଇ ରଖି ମୁହଁ ଓଠର ଗଢ଼ଣକୁ ସ୍ୱଭାବିକ ରଖେ । ଦନ୍ତହୀନ ମାଢ଼ିର ହସ ଯେପରି ଦୃଷ୍ଟି ଆନନ୍ଦ ନୁହେଁ ସେଇ ଭଳି ଦାନ୍ତ ନଥିଲେ ଗାଲ ଦୁଇଟି ମଧ୍ୟ ବିକୃତ ଭାବରେ ଝୁଲିପଡେ । ଏହି ଭାରସାମ୍ୟ ଅଭାବରେ ଗାଲରେ ଅସଂଖ୍ୟ ରିଂକ୍ଳିସ ଦେଖାଦେବ । ଉଚ୍ଚାରଣ ଗୁଡିକ ମଧ୍ୟ ଅସଂଲଗ୍ନ ହେବ । ଏହା ବ୍ୟତୀତ ଖାଦ୍ୟ ଠିକ ଭାବରେ ଚୋବାଇ ନ ଖାଇ ପାରିବା ଦୃଷ୍ଟିରୁ ସାଧାରଣ ସ୍ୱାସ୍ଥ୍ୟ ମଧ୍ୟ ଭାଂଗି ପଡିବାକୁ ଆରମ୍ଭ କରିବ । ତେଣୁ ସ୍ୱାସ୍ଥ୍ୟ ଏବଂ ସୌନ୍ଦର୍ଯ୍ୟରେ ନିଜକୁ ସଜାଇ ତୋଳିବାକୁ ହେଲେ ଅତ୍ୟାବଶ୍ୟକ ଦାନ୍ତର ଯତ୍ନ । କିନ୍ତୁ ଦାନ୍ତର ଯତ୍ନ କଥାଟି ଏତେ ସାଧାରଣ ଯେ, ପ୍ରତ୍ୟେକ ହିଁ କହିବେ ହଁ ମୁଁ ଦାନ୍ତର ଯତ୍ନ ନେଉଛି ତ! ରୋଜ ସକାଳେ ଦାନ୍ତ ଘଷୁଛି । କେହି ପୁଣି କହିବେ ମୁଁ ଦିନକୁ ଦୁଇବେଳା ବ୍ରସ୍ କରୁଛି । ତାହା ସହିତ ନାମି ଦାମୀ ଟୁଥପେଷ୍ଟର ନାମ ମଧ୍ୟ କହିଯିବେ । ଅଥଚ କିଛିଦିନ ପରେ ହୁଏତ ଦେଖାଦେବ, ସେଇ ବ୍ୟକ୍ତିଟି ଦାନ୍ତ କଷ୍ଟ ଭୋଗୁଛନ୍ତି ବା କେଭିଟି, ପାୟାରିଆ ବା ଦନ୍ତକ୍ଷୟ । କାହିଁକି ଏପରି ହୁଏ ।






