ନୟାଗଡ଼,(ବାଘୁଆବାର୍ତ୍ତା): କରୋନା ମହାମାରୀ ସାର ବିଶ୍ୱକୁ କଲବଲ କରୁଥିବା ବେଳେ ଚିକିତ୍ସାଧିନ ଆକ୍ରାନ୍ତଙ୍କ ମନୋବଳ ବଢ଼ାଇବା ପାଇଁ ବିଭିନ୍ନ ସ୍ଥାନରେ ଉଦ୍ୟମ କରାଯାଉଛି । ଆଜି ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା କୋଭିଡ୍ କେୟାର ସେଣ୍ଟରରେ ଜଣେ କରୋନା ଆକ୍ରାନ୍ତଙ୍କ ଜନ୍ମଦିନ ପାଳନ କରାଯାଇଛି । ଆକ୍ରାନ୍ତ ଥାଇ ଚିକିତ୍ସାଧିନ ରୋଗୀଙ୍କ ପାଇଁ ଚିକିତ୍ସାଳୟର ସ୍ୱାସ୍ଥ୍ୟ କର୍ମୀ ଏକ କେକ ଆଣି ତାଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଥିଲେ । ଚିକିତ୍ସାଳୟ ପରିସରରେ ସ୍ୱାସ୍ଥ୍ୟକର୍ମୀଙ୍କ ଉପସ୍ଥିତିରେ ଆକ୍ରାନ୍ତ ବ୍ୟକ୍ତି କେକ କାଟି ଜନ୍ମଦିନ ପାଳନ କରିଥିବା ସୂଚନା ମିଳିଛି । ନୟାଗଡ଼ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ଚିିକିତ୍ସା ପାଇଁ ଚାନ୍ଦପୁର କୋଭିଡ ହସ୍ପିଟାଲ ଏବଂ ଖଣ୍ଡପଡ଼ା କୋଭିଡ୍ କେୟାରର ବ୍ୟବସ୍ଥା ରହିଛି । ଖଣ୍ଡପଡ଼ା ଚିକିତ୍ସାଳୟରେ ଉନ୍ନତ ମାନର ଚିକିତ୍ସା ମିଳୁଥିବା ସୁସ୍ଥ ହେଉଥିବା ବ୍ୟକ୍ତି ମତ ବ୍ୟକ୍ତ କରିଛନ୍ତି । ଏଥିସହିତ କୋଭିଡ୍ କେୟାର ସେଣ୍ଟରରେ ବୃକ୍ଷରୋପଣ କରାଯାଇଥିବା ସୂଚନା ମିଳିଛି ।






